ସୁପ୍ରିମକୋର୍ଟରୁ ନିରାଶ ହେଲେ ପରମବୀର ସିଂ । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନିୀତିର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା ବିଜେପି ।

110

କନକ ବ୍ୟୁରୋ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ମାମଲାରେ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିଶନର ପରମବୀର ସିଂ । ବମ୍ବେ ହାଇକୋର୍ଟଙ୍କ ନିକଟରେ ଏହି ମାମଲାର ଶୁଣାଣି କରିବା କ୍ଷମତା ଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ତେଣୁ ହାଇକୋର୍ଟରେ ଆବେଦନ କରିବା ଉଚିତ । ସୁପ୍ରିମକୋର୍ଟଙ୍କଠାରୁ ନିରାଶ ହେବା ପରେ ବମ୍ବେ  ହାଇକୋର୍ଟରେ ଆବେଦନ କରିବେ ପରମବୀର ସିଂ । ଜଷ୍ଟିସ କୌଲ ଓ ଆର ସୁବାଷ ରେଡ୍ଡୀଙ୍କ ଖଣ୍ଡପୀଠ  ପରମବୀରଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ । ପରମବୀର ସିଂଙ୍କ ପାଇଁ ମୁକୁଲ ରୋହତଗୀ କୋର୍ଟରେ ପକ୍ଷ ରଖିଥିଲେ । ପୁଲିସ କମିଶନରୁ ହୋମଗାର୍ଡ ଡିଜି ବଦଳି ଉପରେ ରୋକ ଲଗାଇବା ପାଇଁ ନିଜ ଆବେଦନରେ କହିଥିଲେ ପରମବୀର ।

ଅନ୍ୟପଟେ ମାମଲାର ଉଚିତ ତଦନ୍ତ କରିବା ଲାଗି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟିଛନ୍ତି । ସେଠାରୁ ଫେରିବା ପରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ ଏହି ମାମଲାରେ ଉଦ୍ଧବ ଠାକରେ କାହିଁକି ଚୁପ୍ ଅଛନ୍ତି । କେବଳ ଏତିକି ନୁହେଁ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି ଫଡନଭିସ କହିଛନ୍ତି ଏହି ମାମଲାରେ କଂଗ୍ରେସ ଚୁପ୍ ରହିବାରୁ ସ୍ପଷ୍ଟ ହେଉଛି ଯେ ଆଦାୟ ହେଉଥିବା ବଟିରେ କଂଗ୍ରେସର ବି ଭାଗ ରହିଛି ।

ମହାରାଷ୍ଟ୍ର ପୁଲିସ ବିଭାଗରେ ନିଯୁକ୍ତି ଓ ବଦଳି ପଛରେ ବଡ ରାକେଟ କାମ କରୁଥିବା ବିଜେପିର ଅଭିଯୋଗ ପରେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର କମ୍ପନ ସୃଷ୍ଟି ହୋଇଛି । ଏହାକୁ ନେଇ ଶିବସେନା ମଧ୍ୟ ପାଲଟା ଅଭିଯୋଗ ଆଣିଛି ଏବଂ ଉତରପ୍ରଦେଶରେ ମଧ୍ୟ ଏପରି ରାକେଟ କାମ କରୁଥିବାର ଅଭିଯୋଗ ହୋଇଥିବା ପ୍ରସଙ୍ଗ ଉଠାଇଛି । ଅନ୍ୟପଟେ ପୁଲିସ ବିଭାଗରେ ମଙ୍ଗଳବାର ଦିନ ବଡ ଧରଣ ଅଦଳବଦଳ କରାଯାଇଛି । ୮୦ରୁ ଅଧିକ ଅଧିକାରୀଙ୍କ ବଦଳି ହୋଇଛି । ଯେଉଁଥିରେ ୬୫ଜଣ କେବଳ କ୍ରାଇମବ୍ରାଂଚରୁ ଅଛନ୍ତି ।

ଶିଳ୍ପପତି ମୁକଶେ ଅମ୍ବାନୀଙ୍କ ଘର ଏଂଟିଲିଆ ସମ୍ମୁଖରୁ ବିସ୍ଫୋରକ ଭର୍ତି କାର ଜବତ ହେବା ପରେ ଏହି ମାମଲା ଆରମ୍ଭ ହୋଇଥିଲା । ଏଥିରେ ଏନକାଉଂଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ଏହାର ଚେର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଅଭିଯୋଗ ହୋଇଥିଲା । ହେଲେ ଏହି ମାମଲା ସେତେବେଳେ ନୂଆ ମୋଡ ନେଇଥିବା ଯେତେବେଳେ ପରମବୀର ସିଂ ପ୍ରତି ମାସ ଶହେ କୋଟି ଟଙ୍କା ବଟି ଆଦାୟ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଁରେ ଅଭିଯୋଗ ଆଣିଥିଲେ ।