ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମକୋଟ: ସଜା କାଟୁଥିବା କଏଦୀ କରିପାରିବେ ବେଲ ଆବେଦନ

103

କନକ ବ୍ୟୁରୋ: ଦେଶଦ୍ରୋହ ଆଇନ ବା ସେଡିସନ ଲ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏବଂ କେନ୍ଦ୍ର ସରକାରଙ୍କୁ ଆଇନ ଉପରେ ପୁନଃ ବିଚାର ଓ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେହିପରି ଏହି ମାମଲାରେ ଗିରଫ ହୋଇ ଜେଲରେ ଥିବା କଏଦି ମଧ୍ୟ ବେଲ ଆବେଦନ କରିପାରିବେ ବୋଲି କହିଛନ୍ତି କୋର୍ଟ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସୋଲିସିଟର ଜେନେରାଲ କହିଲେ , ଆଇନ ଉପରେ ଲଗାନ ଯାଉ ରୋକ । କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଦେଶଦ୍ରୋହ ଆଇନ ଉପରେ ଲାଗିଲା ରୋକ୍ । ଏଣିକି ନୂଆ ମାମଲା ରୁଜୁ ହେବା ବେଳେ ଏହି ଆଇନ୍ ବ୍ୟବହାର ହୋଇପାରିବନି । ଦେଶଦ୍ରୋହ ଆଇନ ଉପରେ ହୋଇଥିବା ଆବେଦନର ଶୁଣାଣି କରି ଏଭଳି କିଛି ରାୟ ଦେଇଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ । ଯେ ପର୍ଯ୍ୟନ୍ତ ଏହି ଆଇନ ଉପରେ ପୁନଃ ପରିକ୍ଷଣ ପ୍ରକ୍ରିୟା ପୁରା ନ ହୋଇଛି, ସେ ପର୍ଯ୍ୟନ୍ତ ସରକାର କାହା ଉପରେ ଲଗାଇପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେହିପରି ଦେଶଦ୍ରୋହ ମାମଲାରେ ଗିରଫ ହୋଇ ଜେଲରେ ବନ୍ଦି ଥିବା କଏଦୀ ମାନେ କୋର୍ଟରେ ବେଲ ଆବେଦନ ମଧ୍ୟ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ।

ଭାରତୀୟ ପେନାଲ କୋଡ ର ଧାରା ୧୨୪ (କ) ଅପବ୍ୟବହାର ହେଉଥିବା ନେଇ ସୁପ୍ରିମକୋର୍ଟରେ ଅନେକ ଥର ଆବେଦନ ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ଏହି ଆଇନର ଅପବ୍ୟବହାର କରି ନିଦ୍ଦିଷ୍ଟ ଗୋଷ୍ଠିର ବ୍ୟକ୍ତିଙ୍କୁ ଟାର୍ଗେଟ କରି ଆଇନର ଜାଲରେ ଛନ୍ଦି ଦେଉଥିବା ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ବୁଧବାର ଏହି ମାମଲାରେ ଶୁଣାଣି କରି ୧୫୨ ବର୍ଷ ପୁରୁଣା ଏହି ଆଇନ ଉପରେ ସ୍ଥଗିତାଦେଶ ଲଗାଇବା ସହ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ପୁନଃ ବିଚାର ଏବଂ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କେନ୍ଦ୍ର ସରକାର ତରଫରୁ ପକ୍ଷ ରଖି ଦେଶଦ୍ରୋହ ଆଇନ ଉପରେ ରୋକ ନ ଲଗାଯାଉ ବୋଲି କହିଥିଲେ ସୋଲିସିଟର ଜେନେରାଲ ତୁଷାର ମେହେତା । ପରେ ଭବିଷ୍ୟତରେ ପୁଲିସ ଅଧିକାରୀଙ୍କ ଯାଂଚ ଓ ସହମତି ପରେ ହିଁ ଏହି ଦଫା ଲଗାଯାଉ ବୋଲି ଏକ ପ୍ରସ୍ତାବ ଦେଇଛନ୍ତି ସୋଲିସିଟର ଜେନେରାଲ । ସେପଟେ ଆଧୁନିକ ଭାରତରେ ଏହି ଆଇନର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି ଏହି ମାମଲାରେ ସରକାରଙ୍କ ବିପକ୍ଷରେ ଲଢୁଥିବା କିଛି ଆଇନଜୀବି ।

ଦେଶଦ୍ରୋହ ମାମଲାରେ ୧୩ ହଜାରରୁ ଅଧିକ ଲୋକ ଏବେ ଜେଲରେ ବନ୍ଦି ଅଛନ୍ତି । ଏହି ଆଇନର ନିରିକ୍ଷଣ ଓ ଯାଂଚ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପରବର୍ତୀ ଶୁଣାଣି ଜୁଲାଇ ତୃତୀୟ ସପ୍ତାହରେ ହେବ ବୋଲି ଜଣାପଡିଛି ।