ବାବୁଙ୍କ ବିଦେଶ ଗସ୍ତକୁ ନେଇ ପ୍ରଶ୍ନ: ନବୀନ ସରକାରଙ୍କୁ ଘେରିଲା ଛାତ୍ର କଂଗ୍ରେସ

461

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସ୍ୱଚ୍ଛତା ଓ ସଚ୍ଚୋଟତାର ଆହ୍ୱାନକୁ ଖିଆଲରେ ଉଡାଇ ଦେଉଛନ୍ତି ଖୋଦ୍ ଗୃହ ବିଭାଗର ଅଧିକାରୀ । ଦିଲ୍ଲୀରେ ପ୍ରେସମିଟ କରି ଆଇପିଏସ ଅଧିକାରୀ ଦିପ୍ତେଶ ପଟ୍ଟନାୟକଙ୍କ ଅୟସ ଆରାମ ଓ ବିଦେଶ ଗସ୍ତର ପ୍ରମାଣ ଦେଇ ଏଭଳି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଦିପ୍ତେଶ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ଆକାଉଂଟରେ ମଧ୍ୟ ତାଙ୍କ ବିଦେଶ ଗସ୍ତ ସମୟର ଗଦା ଗଦା ଫଟୋ, ଇନଷ୍ଟାଗ୍ରାମରେ ରିଲସ ଭିଡିଓ ରହିଛି । ମାସକୁ ଦୁଇ ଥର ଦିପ୍ତେଶ ବିଦେଶ ଗସ୍ତରେ ଯାଉଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି । ଆଇପିଏସ ଅଧିକାରୀଙ୍କ ବିଦେଶ ଗସ୍ତ ସମୟର ଫଟୋ ଓ ଭିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇ ଛାତ୍ର କଂଗ୍ରେସ ଏହି ପ୍ରଶ୍ନ ଉଠାଇଛନ୍ତି ।

ମାସକୁ ଦୁଇଥର ବିଦେଶ ଗସ୍ତରେ ଯିବାକୁ କିଏ ଅନୁମତି ଦେଉଛି ?
ଛୁଟି କିଏ ଦେଉଛି, ଛୁଟି କିଏ ମଞ୍ଜୁର କରୁଛି?
ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବର୍ଷକୁ ୨ ଥର ଛୁଟି ମିଳିବା ମୁସ୍କିଲ
ଦିପ୍ତେଶ ପଟ୍ଟନାୟକଙ୍କୁ ମାସକୁ ୨ ଥର ଛୁଟି କେମିତି ମିଳୁଛି?

ଜଣେ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତ ଓ ମଜାମଜିଲସକୁ ନେଇ ଛାତ୍ର କଂଗ୍ରେସ ସରକାରଙ୍କୁ ଘେରିଛି । ସରକାର ଦିପ୍ତେଶ ପଟ୍ଟନାୟକଙ୍କ ବାବଦରେ କିଛି ଜାଣି ନାହାନ୍ତି ନା ଜାଣିଶୁଣି ଅଣଦେଖା କରୁଛନ୍ତି । ଖାଲି ଦିପ୍ତେଶ ଯେ ବିଦେଶ ଗସ୍ତରେ ଯାଉଛନ୍ତି ତା ନୁହେଁ, ତାଙ୍କ ସରକାରୀ ବାସଭବନକୁ ମଧ୍ୟ ବିଳାସମୟ ହୋଟେଲ ଭଳି ସଜାଯାଇଛି । ଏହା ସରକାରଙ୍କ ବିନା ଅନୁମତିରେ କିପରି ସମ୍ଭବ ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି । ଅନ୍ୟପଟେ ପୂର୍ବତନ ପୁଲିସ ଡିଜି କହିଛନ୍ତି, ଜଣ ଆଇପିଏସ ଅଫିସର ବାରମ୍ବାର ଛୁଟିରେ ଗଲେ ଦାୟିତ୍ୱ ଠିକରେ ତୁଲାଇପାରିବେ ନାହିଁ ।

ରାଉରକେଲାରେ ଏସପି ଭାବେ ଦାୟିତ୍ୱ ତୁଳାଉଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ କମିସନ ସତ୍ୱେ ତାଙ୍କ ପଦୋନ୍ନତି କେମିତି ହେଲା ସେନେଇ ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ । ଏନେଇ ଆଇପିଏସ ଅଧିକାରୀ ଦିପ୍ତେଶ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।