ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ଘଟଣା । ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ 

298

କନକ ବ୍ୟୁରୋ: ହାଇଦର ଏନକାଉଣ୍ଟର ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଆଧାରରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ଓଏଚଆରସି । ଗୃହ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ସହ ପୁଲିସ ଡିଜି ଏବଂ କଟକ ଭୁବନେଶ୍ୱର ପୁଲିସ କମିଶନରଙ୍କୁ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୪ ସପ୍ତାହର ସମୟ ଦେଇଛନ୍ତି ଓଏଚଆରସି । ପୂରା ଘଟଣା କଣ ଥିଲା, ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦେଶନାମାରେ କୁହାଯାଇଛି । ଏପରିକି ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିବା ଖବରକୁ ମଧ୍ୟ ରେକର୍ଡ ଭୁକ୍ତ କରିବା କହିଛନ୍ତି ରାଜ୍ୟ ମାନବାଧିକାର କମିଶନ

ପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲା ପୋଲିସ । ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫଆଇଆରରେ ଏହା ଲେଖାଯାଇଛି । ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏଫଆଇଆର ଦେଇଛନ୍ତି । ଏଥିରେ ଲେଖା ଯାଇଛି ଯେ, ସିମୁଳିଆରେ ପରିସ୍ରା କରିବା ପାଇଁ ହାଇଦର କହିବାରୁ ତାକୁ ନେଉଥିବା ଗାର୍ଡ, ଗୋଟିଏ ହାତର ହ୍ୟାଣ୍ଡକପ ଖୋଲିଥିଲେ । ଆଉ ଏହାର ସୁଯୋଗ  ନେଇ ଗାର୍ଡଙ୍କଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେଇ ପୋଲିସ ଆଡକୁ ଦେଖାଇ ଧମକାଇ ଥିଲା ଗ୍ୟାଙ୍ଗଷ୍ଟର ହାଇଦର ।

ପୂର୍ବରୁ ଥରେ ଫେରାର ହୋଇଥିବାବେଳେ ପୋଲିସ ତାକୁ ହାଇଦ୍ରାବାଦରୁ ଧରିବାରେ ସମର୍ଥ ହୋଇଥିବା କଥା କହିଥିଲା । କିନ୍ତୁ ଏଥର ଖସିଗଲେ ଆଉକେହି ଧରିପାରିବେନି ବୋଲି କହିଥିଲା ହାଇଦର । ଏପରିକି ତାକୁ ଧରିବା ପାଇଁ କେହି ଆଗକୁ ବଢିଲେ ଗୁଳି କରିଦେବ ବୋଲି ଧମକ ଦେଇଥିଲା । ତେଣୁ ସେ ଓ ପୋଲିସ ଏସଆଇ ଅସିତ ଜେନା ତାକୁ ସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ହେଲେ ସେ ଏସକର୍ଟ ପାର୍ଟି ଉପରକୁ ଗୁଳି କରିବାକୁ ଉଦ୍ୟମ କରିବାରୁ ତାକୁ ନିଜ ସର୍ଭିସ ରିଭଲଭରରୁ ୩ ରାଉଣ୍ଡ ଗୁଳି କରିଥିଲେ ଏସଆଇ ଅସିତ ଜେନା । ଏସକର୍ଟ ପାର୍ଟିର ଜୀବନ ବଂଚାଇବାକୁ ଏହି ଗୁଳି କରାଯାଇଥିବା ଏଫଆଇରରେ ଉଲ୍ଲେଖ ରହିଛି ।