ମଦ ଦୋକାନ ପାଇଁ ସାରା ରାଜ୍ୟରେ ଚାଲିଛି ଲଟେରି : ଅବକାରୀ ବିଭାଗ ପକ୍ଷରୁ କାଲି ବ୍ରହ୍ମପୁର ଜୋନ ପାଇଁ ହୋଇଥିଲା ଲଟେରି ଉଠାଣ

୩୬ ଦୋକାନ ପାଇଁ ଥିଲେ ୧ ହଜାର ୩୪ ଆବେଦନକାରୀ; ଆଜି ଗଂଜାମ ଜୋନରେ ୫୬ଟି କାଉଂଟର ପାଇଁ ହେଉଛି ଲଟେରି

204

କନକ ବ୍ୟୁରୋ : ସାରା ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ଚାଲିଛି ଲଟେରି । ଗତକାଲି ବ୍ରହ୍ମପୁର ଅବକାରୀ ବିଭାଗ ତରଫରୁ ବ୍ରହ୍ମପୁର ଜୋନ ପାଇଁ ଲଟେରୀ ଉଠାଣ ହୋଇଛି । ୩୬ଟି କାଉଂଟର ପାଇଁ ଆବେଦନ କରିଛନ୍ତି ୧ ହଜାର ୩୪ ଜଣ ।

ସେହିପରି ଆଜି ଗଂଜାମ ଜିଲ୍ଲା ଅବକାରୀ ବିଭାଗ ତରଫରୁ ୫୬ଟି କାଉଂଟର ପାଇଁ ଲଟେରି ଉଠାଣ ହେବ । ଏଠି ମଧ୍ୟ ୧୧ଶହ ଆବେଦନକାରୀ ଅଛନ୍ତି । ଦେଖା ଯାଉଛି ଯେତିକି ମଦ ଦୋକାନ ରହିଛି ତାର ୧୮ ଗୁଣା ପାଖାପାଖି ଆବେଦନ କରୁଛନ୍ତି । ସାରା ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ଉତ୍ସାହ ଦେଖା ଯାଉଛି ।

ସବୁଠାରୁ ବଡ଼ କଥା ହେଉଛି ମଦ ଦୋକାନ ଖୋଲିବା ପାଇଁ ଆବେଦନକାରୀଙ୍କୁ ୧ଲକ୍ଷ ଟଙ୍କା ପଇଠ କରିବାକୁ ପଡ଼ୁଛି । ଲଟେରିରେ ନାଁ ନଉଠିଲେ ଏବଂ ଲାଇସେନ୍ସ ନମିଳିଲେ ମଧ୍ୟ ଏହି ଟଙ୍କା ଫେରସ୍ତ ହେବ ନାହିଁ । ଏହା ଜାଣି ସୁଧା ଲୋକେ ମଦ ଦୋକାନ ଲାଇସେନ୍ସ ପାଇଁ ପ୍ରବଳ ଆଗ୍ରହ ଦେଖାଉଛନ୍ତିି । ଅନ୍ୟପକ୍ଷରେ ଯେଉଁ ଆବେଦନକାରୀଙ୍କ ଲଟେରି ଉଠିବ ସେମାନେ ୧୫ ଦିନ ଭିତରେ ନିଜ ଦୋକାନକୁ ସ୍ଥାୟୀ କରିବାକୁ ବାଧ୍ୟ ।

ନହେଲେ ସରକାରୀ ନିୟମ ଅନୁସାରେ ସେହି କାଉଂଟରକୁ ଅନ୍ୟକୁ ହସ୍ତାନ୍ତର କରାଯିବ । କେହି କେହି ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରି ଉଠାଣ ବ୍ୟବସ୍ଥାକୁ ବିୀରୋଧ କରୁଥିବା ବେଳେ ଏଭଳି ନିୟମ ଫଳରେ ନୂଆ ଲୋକଙ୍କୁ ସୁଯୋଗ ମିଳିବ କହି ଅନେକ ସ୍ୱାଗତ ମଧ୍ୟ କରିଛନ୍ତି ।