ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବକୁ ମଞ୍ଜୁରୀ। ଜନସାଧାରଣଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ।

191

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ  ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି ।

ଢେଙ୍କାନାଳ ଜିଲ୍ଲାରେ ୪ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ପ୍ରକଳ୍ପ ଦ୍ବାରା ଜିଲ୍ଲାର ୪ଟି ବ୍ଲକରେ ଥିବା ୭୧ଟି ଗ୍ରାମ ପଞ୍ଚାୟତର ୨୭୧ଟି ଗାଁରେ ବସବାସ କରୁଥିବା ପ୍ରାୟ ୩ଲକ୍ଷ ୨୨ ହଜାର ୨୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। କାମାକ୍ଷାନଗର ବ୍ଲକରେ ଥିବା ୧୩ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୬ଟି ଗାଁର ପ୍ରାୟ ୫୨ ହଜାର ୯୧୪ ଜଣ, ପରଜଙ୍ଗ ବ୍ଲକରେ ଥିବା ୨୯ଟି ଗ୍ରାମ ପଞ୍ଚାୟତର ୯୨ଟି ଗାଁର ପ୍ରାୟ୧ ଲକ୍ଷ ୩୫ ହଜାର ୨୪୩ ଜଣ, କଙ୍କଡାହାଡ ବ୍ଲକରେ ଥିବା ୨୧ଟି ଗ୍ରାମ ପଞ୍ଚାୟତର ୧୦୬ଟି ଗାଁର ପ୍ରାୟ ୯୬ ହଜାର୯୭୩ ଜଣ ଓ ସଦର ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମପଞ୍ଚାୟତର ୨୭ଟି ଗାଁର ପ୍ରାୟ ୩୭,୦୭୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ।

ରାଜ୍ୟ କ୍ୟାବିନେଟ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପାଦନ ପାଇଁ ଠିକାଦାର ସଂସ୍ଥା ଏମ୍‌/ଏସ୍‌ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସେସ୍‌ ପ୍ରାଇଭେଟ. ଲିମିଟେଡ ଅନୁମୋଦନ କରିଛନ୍ତି। ଉକ୍ତ ପ୍ରକଳ୍ପଗୁଡ଼ିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ୩‌ଟି ବ୍ଲକ ଅଧୀନରେ ଥିବା ୭୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୨୨ଟି ଗାଁରେ ବସବାସ କରୁଥିବା ପ୍ରାୟ ୪ ଲକ୍ଷ ୩୫ ହଜାର୧୯୦ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ୨୯ଟି ଗ୍ରାମପଞ୍ଚାୟତର ୧୩୮ଟି ଗାଁର ପ୍ରାୟ ୧ ଲକ୍ଷ ୫୫ ହଜାର ୩୩୪ ଜଣ, ରାଜନଗର ବ୍ଲକ ଅଧୀନରେ ଥିବା ୨୯ଟି ପଞ୍ଚାୟତର ୨୪୯ଟି ଗାଁର ପ୍ରାୟ ୧ ଲକ୍ଷ ୬୮ ହଜାର ୭୧୨ ଜଣ ଓ ଗରଦପୁର ବ୍ଲକର ୧୮ଟି ପଞ୍ଚାୟତ ଅଧୀନରେ ଥିବା ୧୩୫ଟି ଗାଁର ୧ଲକ୍ଷ ୧୧ ହାଜର ୧୪୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ।

ଅନ୍ୟପଟେ ବାଲେଶ୍ବର ଜିଲ୍ଲାର ୩ଟି ବ୍ଲକ ଅଧୀନରେ ଥିବା ୪୧ଟି ଗ୍ରାମପଞ୍ଚାୟତର ୩୦୧ଟି ଗାଁରେ ବସବାସ କରୁଥିବା ପ୍ରାୟ ୨ଲକ୍ଷ ୬୨ ହଜାର ୦୯୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ବାଲେଶ୍ବର ବ୍ଲକ ଅଧୀନରେ ଥିବା ୧୪ଟି ଗ୍ରାମ ପଞ୍ଚାୟତର ୮୧ଟି ଗାଁର ପ୍ରାୟ ୧ ଲକ୍ଷ୧ ହଜାର ୩୨୧ଜଣ, ରେମୁଣା ବ୍ଲକ ଅଧୀନରେ ଥିବା ୨୦ଟି ଗ୍ରାମପଞ୍ଚାୟତ ୧୬୦ଟି ଗାଁର ପ୍ରାୟ ୧ଲକ୍ଷ ୨୧ ହଜାର ୨୧୦ ଜଣ ଓ ଖଇରା ବ୍ଲକ ଅଧୀନରେ ଥିବା ୭ ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬୦ଟି ଗାଁର ୩୯ ହଜାର ୫୬୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ।