୨ ଲକ୍ଷ କୋଟିର ରାଜ୍ୟ ବଜେଟ। ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

117

କନକ ବ୍ୟୁରୋ : ଚଳିତ ରାଜ୍ୟ ବଜେଟ ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେ ଉପସ୍ଥାପନ କରିଛନ୍ତି । ଗତ ୨୨ ବର୍ଷରେ ବଜେଟର ପରିମାଣ ୧୭ ଗୁଣ ବୃଦ୍ଧି ପାଇଥିବା ଅର୍ଥମନ୍ତ୍ରୀ ଅବଗତ କରାଇଛନ୍ତି । ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟୟ ବରାଦର ଗୁଣବତ୍ତାରେ ଆସିଥିିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା କୁହାଯ।।ଇଛି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ଏହା ବଜେଟର ୫୦ ପ୍ରତିଶତ । ସେହିଭଳି ସରକାରୀ ଉଦ୍ୟୋଗମାନଙ୍କର ଦ୍ୱାରା ଏବଂ ବଜେଟ ବହିର୍ଭୂତ ସମ୍ବଳ ଉତ୍ସରୁ ୧୦ ହଜାର କୋଟି ବ୍ୟୟ କରାଯିବ ।

୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରଶାସନିକ ରାଜସ୍ୱ ବ୍ୟୟ ବାବଦରେ ମୋଟ ୭୪ ହାର ୨ ଶହ ୩୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ଦରମା, ପେନସନ, ସୁଧ ଦେୟ ଓ ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ ଲାଗି ଉଦ୍ଧିଷ୍ଟ ଯଥାକ୍ରମେ ୨୯ ହଜାର ୨ ଶହ ୪୮ କୋଟି ଟଙ୍କା, ୧୮ ହଜାର ୨ ଶହ ୨୧ କୋଟି, ୮ ହଜାର ୪ ଶହ ୬୭ କୋଟି ଟଙ୍କା ଏବଂ ୫ ହଜାର ୮ ଶହ ୫୬ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି । ସେହିଭଳି ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ବ୍ୟୟବରାଦର ପରିମାଣ ୩ ହଜାର ୨ ଶହ ୧୦ କୋଟି ଟଙ୍କା ରହିଛି । ସ୍ଥାନୀୟ ସଂସ୍ଥା ଏବଂ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୭ ହଜାର ୨ ଶହ କୋଟି ଟଙ୍କା ବ୍ୟୟ ବରାଦ ରହିଛି ।

ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ଅଟକଳ ରହିଛି ୩୮ ହଜାର ୭ ଶହ ୩୨ କୋଟି ଟଙ୍କା । ଏହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୪ ପ୍ରତିଶତ । ବିଗତ ବର୍ଷ ତୁଳନାରେ ଏହା ୫୬ ପ୍ରତିଶତ ଅଧିକ । ଅତିରିକ୍ତ ଭାବେ ଋଣ, ଅଗ୍ରୀମ, ପୁ୍ଞ୍ଜି ଖର୍ଚ୍ଚକୁ ମିଶାଇ ମୋଟ ୧୧ ହଜାର ୯ ଶହ ୩୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧ ଦଶମିକ ୭ ପ୍ରତିଶତ ।

ଚଳିତ ବଜେଟରେ ମୁଖ୍ୟତଃ ରାଜସ୍ୱପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯ ଶହ ୬୭ କୋଟି , ଋଣ ଓ ଅନ୍ୟାନ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କାରୁ ଭରଣା କରାଯିବ । ଆକଳିତ ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୩୬ ହଜାର ୯ ଶହ ୭୮ କୋଟି ଟଙ୍କା ରହିଛି । ରାଜ୍ୟର ନିଜସ୍ୱ ଟିକସ ୪୬ ହଜାର କୋଟି ଟଙ୍କା ନିଜସ୍ୱ ଅଣ ଟିକସ ରାଜସ୍ୱ ୪୮ ହଜାର ୨ ଶହ କୋଟି ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨ ହଜାର ୭ ଶହ ୮୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି ।