କଂଗ୍ରେସ ରାସ୍ତାରେ ଯାଉନି ତ ବିଜେପି । ଦିଲ୍ଲୀକୁ ତୁହାକୁ ତୁହା ଦୌଡୁଛନ୍ତି ରାଜ୍ୟ ବିଜେପି ନେତା

266

କନକ ବ୍ୟୁରୋ: ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ନଥିବା ସଙ୍କେତ ମିଳୁଛି । ପ୍ରଥମେ ପଦାଧିକାରୀ ଆଉ ଏବେ ବିଧାୟକ ଦଳଙ୍କ ଅଲଗା ଅଲଗା ଦିଲ୍ଲୀ ଗସ୍ତ ଦଳ ଭିତରେ ଚର୍ଚ୍ଚା ବଢାଇଛି । ପଞ୍ଚାୟତ ଓ ପୌରରେ ବିପର୍ଯ୍ୟୟକୁ ନେଇ ଦଳୀୟ ନେତା ରଖିଥିବା ବକ୍ତବ୍ୟ ବିରୋଧରେ ଅସନ୍ତୋଷ ବଢୁଛି କି? ଯାହାକୁ କେନ୍ଦ୍ର କରି ଏହି ନେତା ମାନେ ଦିଲ୍ଲୀ ଯାଇ ଫେରାଦ ହୋଇଛନ୍ତି । ଆଶ୍ଚର୍ଯ୍ୟ କରିବାର କଥା ହେଉଛି ଉତ୍ତରପ୍ରଦେଶ ନିର୍ବାଚନ ସରିଲାଣି, ସଂସଦ ସରିଲାଣି ତଥାପି ଧର୍ମେନ୍ଦ୍ର ଓଡ଼ିଶା ଫେରୁନାହାନ୍ତି । ଯାହା ଦଳୀୟ ରାଜନୀତିକୁ ରୋଚକ ସ୍ଥିତିରେ ରଖିିଛି ।

  • ବିଜେପି ପଦାଧିକାରୀଙ୍କ ପରେ ବିଧାୟକ ଦଳ
  • ଦଳବଳ ଧରି ଦିଲ୍ଲୀ ଦରବାରରେ ଡେରା

ରାଜ୍ୟ ବିଜେପିରେ ଚାଲିଛି କଣ? ପ୍ରଥମେ ପଦାଧିକାରୀ ଆଉ ଏବେ ବିଧାୟକ ଦଳ । ଏକାଠି ଗଲେନି, ଅଲଗା ଅଲଗା ଦିଲ୍ଲୀ ଗସ୍ତ କରି ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଭେଟିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢାଇଛି । ବଡ କଥା ହେଉଛି, ୟୁପି ନିର୍ବାଚନ ସରିଲାଣି, ସଂସଦ ସରିଲାଣି ତଥାପି ଧର୍ମେନ୍ଦ୍ର ଓଡିଶା ଆସୁନାହାନ୍ତି । ହେଲେ ରାଜ୍ୟ ନେତା ଦିଲ୍ଲୀ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି । ତେବେ ରାଜ୍ୟ ରାଜନୀତିରୁ ନିଜକୁ ଟିକେ ଦୂରେଇ ରଖିଥିବା ଧର୍ମେନ୍ଦ୍ରଙ୍କୁ ଭେଟି ପୁଣି ସଂଗଠନର ମଙ୍ଗ ଧରିବାକୁ କିଛି ନେତା ଅନୁରୋଧ କରିଥିବା ବେଳେ ଆଉ କିଛି, ଦଳୀୟ ନେତାଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ଝାଡିଛନ୍ତି ।

କିଛି ଦିନ ଆଗରୁ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ପଦାଧିକାରୀ ମାନଙ୍କ ଚାରି ଦିନିଆ ଦିଲ୍ଲୀ ଗସ୍ତ ପରେ ପରେ ବିଜେପିର ୨୦ ବିଧାୟକ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି । ପଦାଧିକାରୀ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରିସାରିଥିବା ବେଳେ ବିଧାୟକ ଦଳ ମଧ୍ୟ ଏହି କେନ୍ଦ୍ରୀୟ ନେତାଙ୍କୁ ଭେଟିଛନ୍ତି ତେବେ ଦଳୀୟ ସଂଗଠନକୁ ସୁଦୃଢ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଡାକରାରେ ଦିଲ୍ଲୀ ଯାଇ ଆଲୋଚନା କରିଥିବା କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପି ନେତାଙ୍କ ଏହି ଦିଲ୍ଲୀ ବୈଠକକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କୁହାଯାଉଛି, ଚର୍ଚ୍ଚା ବେଳେ ଏହି ୪ ପ୍ରସଙ୍ଗ ସାମ୍ନାକୁ ଆସିଥାଇପାରେ ।

  • ବିରୋଧୀଦଳ ନେତାଙ୍କ ଅସୁସ୍ଥତା ଯୋଗୁ ଅନ୍ୟ କାହାକୁ ଦାୟିତ୍ୱ
  • ନିଜ ଦଳର ସାଂସଦ, ରାଜ୍ୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା
  • ୨୦୨୪ ନିର୍ବାଚନ ପୂର୍ବରୁ ଜଣଙ୍କୁ ଦଳର ମଙ୍ଗ ଧରିବାକୁ ଦାୟିତ୍ୱ ଦେବା
  • ପଞ୍ଚାୟତ ଓ ପୈାର ଫଳାଫଳର ସମୀକ୍ଷା

ସେପଟେ ବିଜେପି ନେତାଙ୍କ ଦିଲ୍ଲୀ ଦୌଡକୁ ନେଇ କଂଗ୍ରେସ ବିଧାୟକ କରିଥିବା କଟାକ୍ଷ ବେଶ ରୋଚକ ହୋଇଛି ।