ଭାଙ୍ଗିଲା ‘ଏଏସଆଇ’ର ନିଦ । ହାଇକୋର୍ଟଙ୍କ ତାଗିଦ ପରେ ରବିବାର ପୁରୀ ଗସ୍ତ

163

କନକ ବ୍ୟୁରୋ: ପୁରୀ ଗସ୍ତ କରିବ ଏଏସଆଇର ଏକ ଟିମ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲିଦେଖିବ ଏଏସଆଇ । ତେବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥାର ବିନା ଅନୁମତିରେ ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଓ ନିର୍ମାଣ କାମ ଚାଲିଥିବା ଅଭିଯୋଗ ହୋଇଆସୁଛି । ଏଏସଆଇର ରହସ୍ୟମୟ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ହାଇକୋର୍ଟଙ୍କ ତାଗିଦ ପରେ ଏବେ ଏଏସଆଇର ନିଦ ଭାଙ୍ଗିଛି ।

ପରିକ୍ରମା ପ୍ରକଳ୍ପ ନେଇ ଦିଲ୍ଲୀପ କୁମାର ବରାଳ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରିଥିଲେ । ଏପ୍ରିଲ ୮ ତାରିଖରେ ମାମଲାର ଶୁଣାଣି କରି ମେ ୧୬ ତାରିଖକୁ ପରବର୍ତ୍ତୀ ଶୁଣାଣିଧାର୍ଯ୍ୟ କରିଥିଲେ ହାଇକୋର୍ଟ । ନିର୍ମାଣ ସ୍ଥାନର ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ମାମଲାର ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ଅନୁରୋଧ କରିବା ପରେ ମେ’ ୯ ତାରିଖକୁ ଶୁଣାଣି କରିବାକୁ କହିଛନ୍ତି ହାଇକୋର୍ଟ । ଏହାର ୨ ଦିନ ପୂର୍ବରୁ ଅର୍ଥାତ ମେ’ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନରେ ଯାଉଛି ଏଏସଆଇ ।

ପରିକ୍ରମା ପ୍ରକଳ୍ପକୁ ନେଇ ବଡ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଓଡଶା ହାଇକୋର୍ଟରେ ଏଏସଆଇର ଆଭିମୁଖ୍ୟ । କାରଣ କୋର୍ଟରେ ଜବାବ ରଖିବାକୁ ସମୟ ମାଗିଥିଲା ଏଏସଆଇ । ଫେବ୍ରୁଆରୀ ୫ ତାରିଖରେ ଏଏସଆଇ ଯଦି ଓବିସିସିକୁ ଚିଠି ଲେଖି ଶ୍ରୀମନ୍ଦିର ପ୍ରତିବନ୍ଧିତ ଅଞ୍ଚଳରେ କୌଣସି ନିର୍ମାଣ ଓ ଖନନକୁ ବାରଣ କରିଥିଲା, ତେବେ କୋର୍ଟରେ ସେକଥା କହିଲା ନାହିଁ କାହିଁକି? ସବୁଠାରୁ ବଡକଥା ହେଉଛି, ଆରଟିଆଇ ତଥ୍ୟରେ ଯଦି ନିର୍ମାଣ ଅନୁମତି ଦିଆଯାଇନଥିବା ଏଏସଆଇ କହିପାରୁଛି, କୋର୍ଟରେ ସେହି କଥା କହିନଥିଲା କାହିଁକି?