ଭୁଲ ସୂଚନାରୁ ସୃଷ୍ଟି ହେଲା ଭୟଙ୍କର ପରିଣତି । ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ

ଯବାନଙ୍କ ଗୁଳିରେ ସାଧାରଣ ଲୋକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲା ସେନା

235

କନକ ବ୍ୟୁରୋ: ଭୁଲ ସୂଚନାର ଭୟଙ୍କର ପରିଣତି । ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ଏସଆଇଟି ତଦନ୍ତ ହେବ । ନାଗାଲାଣ୍ଡ ମ୍ରୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସେନା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କୋର୍ଟ ଅଫ୍ ଇନକ୍ୟୁରି ଅର୍ଡର ଦେଇଛି । ନାଗାଲାଣ୍ଡର ମୋନ୍ ଜିଲ୍ଲା ତିରୁ ଗାଁ ଦେଇ ଏକ ପିକଅପରେ ସାଧାରଣ ଲୋକ ଯାଉଥିଲେ । କୋଇଲା ଖଣିରେ କାମ କରୁଥିବା ଏହି ଶ୍ରମିକଙ୍କୁ ଉଗ୍ରବାଦୀ ଭାବି ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ କେତେକ ଗୁରୁତର ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ହିଂସାକାଣ୍ଡ ଦେଖାଦେଇଥିଲା । ସାଧାରଣ ଲୋକଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ହୋଇ ସେନାର ଗାଡି ପୋଡି ଦେଇଥିଲେ ସ୍ଥାନୀୟ ଲୋକେ । ଏଥିରେ ଜଣେ ଯବାନଙ୍କ ଜୀବନ ଯାଇଥିବା ଜଣାପଡିଛି । ଘଟଣା ଉଗ୍ରରୂପ ନେଉଥିବାରୁ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ନାଗାଲାଣ୍ଡ ମ୍ରୁଖ୍ୟମନ୍ତ୍ରୀ ନେଇଫିଉ ରିଓ । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏଥିରେ ଦୁଃଖ ପ୍ରକାଶ କରି ଟୁଇଟ୍ କରିଛନ୍ତି ।