ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଲୋକଙ୍କ କବଜା ଜାରି। ଏବେ ବି ରାଷ୍ଟ୍ରପତି ଫେରାର, ସମୁଦ୍ରଭିତରେ ଲୁଚି ରହିଥିବା ଅନୁମାନ।

138

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଗଠନ ହେବ ନୂଆ ସରକାର । ଏନେଇ ଘନ ଘନ ବସୁଛି ବିରୋଧୀଦଳଙ୍କ ମିଳିତ ବୈଠକ । ମୁଖ୍ୟ ବିରୋଧୀ ଦଳ ସମାଗୀ ଜନ ବାଲବେଗୟା ବା ଏସଜିବି ଓ ଏହାର ସହଯୋଗୀ ଦଳ ସର୍ବଦଳୀୟ ସରକାର ଗଠନ କରିବା ପାଇଁ ସୋମବାର ବୈଠକ କରିଛନ୍ତି । ଯଦି ବିରୋଧୀ ଦଳଙ୍କ ପ୍ରୟାସ ସଫଳ ହୁଏ ତେବେ ଖୁବ କମ ଦିନ ଭିତରେ ଶ୍ରୀଲଙ୍କାକୁ ମିଳିପାରେ ନୂଆ ସରକାର । ସେପଟେ ସୋମବାର କ୍ୟାବିନେଟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂଘେ । ବୈଠକରେ ସିଂଘେ ସର୍ବଦଳୀୟ ସରକାର ଗଠନ କରିବା ପାଇଁ ସହମତି ଦେଇଛନ୍ତି ।

ଆସନ୍ତୁ ନଜର ପକାଇବା ଶ୍ରୀଲଙ୍କାକୁ ନେଇ କିଛି ଲାଟେଷ୍ଟ ଅପଡେଟ ଉପରେ:
ଶ୍ରୀଲଙ୍କାର ସଙ୍କଟ ଜାରି
• ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂଘେଙ୍କ କ୍ୟାବିନେଟ ବୈଠକ
• ବୈଠକରେ ସର୍ବଦଳୀୟ ସରକାରକୁ ସହମତି
• ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଜୁଲାଇ ୧୩ ତାରିଖରେ ଇସ୍ତଫା ଦେବେ
• ଜୁଲାଇ ୮ ପରଠୁ ହଠାତ କୁଆଡେ ନିଖୋଜ ହୋଇଛନ୍ତି ଗୋଟବାୟା
• ସ୍ଥିତି ବିଗୁଡୁଥିବାରୁ ବିଭିନ୍ନ ପ୍ରାନ୍ତରେ କର୍ଫ୍ୟୁ ଲାଗୁ
• ଶାନ୍ତି ବଜାୟ ରଖିବାକୁ ଜନତାଙ୍କୁ ଶ୍ରୀଲଙ୍କା ସେନାର ଅପିଲ

ଶନିବାରଠୁ ଶ୍ରୀଲଙ୍କା ରାଷ୍ଟ୍ରପତିଭବନ ସେଠାକାର ଜନତାଙ୍କ ଅକ୍ତିଆରକୁ ଆସିବା ପରେ ସେଠାକାର ଚିତ୍ର ପୂରାପୁରି ବଦଳିଯାଇଛି । ରାଷ୍ଟ୍ରପତି ଭବନ ଭିତରୁ ଆସୁଛି ଭଳିକି ଭଳି ଚିତ୍ର । ଯାହାକୁ ଦେଖିଲେ ଲାଗୁଛି ରାତାରାତି ସତେ ଯେମିତି ରାଷ୍ଟ୍ରପତି ଭବନ ପିକନିକ ସ୍ପଷ୍ଟରେ ବଦଳିଛି । ଶନିବାରଠୁ ଏଠାରେ ଜନତାମାନେ ମଉଜମସ୍ତି କରୁଥିବାବେଳେ ସୋମବାର କିଛି ପ୍ରଦର୍ଶନକାରୀ ସେଠାରେ ସଫେଇ କରୁଥିବା ମଧ୍ୟ ଦେଖିଛି । ପ୍ରଦର୍ଶନକାରୀଙ୍କ ଗୋଟେ ଜିଦ୍ ,ଯେଉଁ ପର୍ଯ୍ୟନ୍ତ ରାଷ୍ଟ୍ରପତି ଗୋଟବାୟା ଇସ୍ତଫା ନଦେବା ସେ ପର୍ଯ୍ୟନ୍ତ ରାଷ୍ଟପ୍ରତି ଭବନରେ ଅଡି ବସି ରହିବେ । ସେପଟେ ଭାରତକୁ ଛୁଟି ଆସୁଛନ୍ତି ଶହ ଶହ ଶ୍ରୀଲଙ୍କା ଶରଣାର୍ଥୀ । ଚେନ୍ନାଇରେ ରିତିମତ ଅନେକ ଶରଣାର୍ଥୀ ପହଁଞ୍ଚୁଛନ୍ତି । ଶ୍ରୀଲଙ୍କା ସଙ୍କଟକୁ ଦୃଷ୍ଟିରେ ରଖି ରାମେଶ୍ୱରମରେ କୋଷ୍ଟଗାର୍ଡ ପକ୍ଷରୁ ହାଇଆର୍ଲଟ ଜାରି ସହ ପାଟ୍ରୋଲିଂକୁ ତ୍ୱରାନିତ୍ୱ କରାଯାଇଛି ।

ଆସନ୍ତୁ ନଜର ପକାଇବା ଶ୍ରୀଲଙ୍କାର ସଙ୍କଟର ଘଟଣାକ୍ରମ ଉପରେ:
ଶ୍ରୀଲଙ୍କା ସଙ୍କଟର ଘଟଣାକ୍ରମ:
• ୧୫ ମାର୍ଚ୍ଚ ୨୦୨୨ରେ ରାଜପକ୍ଷେ ପରିବାର ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା ।
• ୧୬ ମାର୍ଚ୍ଚ ୨୦୨୨ରେ ଦେଶରେ ପ୍ରଥମ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲା ।
• ୨ ଏପ୍ରିଲ ୨୦୨୨ ରାଷ୍ଟ୍ରପତି ଭବନ ବାହାରେ ପ୍ରଥମ ହିଂସକ ପ୍ରଦର୍ଶନ ଘଟିଲା ଓ ୨ୟ ଥର ପାଇଁ ଏମରଜେନ୍ସି ଲାଗୁ ହୋଇଥିଲା ।
• ୪ ଏପ୍ରିଲ ୨୦୨୨ ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଲେ ।
• ୬ ମେ ୨୦୨୨ ଶ୍ରୀଲଙ୍କାରେ ପ୍ରଦର୍ଶନ ଉଗ୍ର ହେଲା ଓ ୩ୟ ଥର ପାଇଁ ଏମରଜେନ୍ସି ଲାଗୁ ହେଲା ।
• ୯ ମେ ୨୦୨୨ ମହିନ୍ଦ୍ରା ରାଜପକ୍ଷେ ଇସ୍ତଫା ଦେଲେ ।
• ୧୧ ମେ ୨୦୨୨ ରାନିଲ ବିକ୍ରମ ସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ।
• ୫ ଜୁଲାଇ ୨୦୨୨ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂ ଦେଶରେ ସ୍ଥିତି ବିଗୁଡୁଥିବା ପ୍ରକାଶ କରିଥିଲେ
• ୯ଜୁଲାଇ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନକୁ କବଜା କଲେ ।

ପ୍ରଦର୍ଶନକାରୀ ଓ ସୁରକ୍ଷାବଳ ଭିତରେ ରୀତିମତ ସଂର୍ଘଷ ଜାରି ରହିଛି । ସ୍କୁଲ କଲେଜ ସବୁ କିଛି ବନ୍ଦ ପଡିଛି । ଖାଦ୍ୟ ଓ ଅତ୍ୟାବଶକୀୟ ଜିନିଷ ଅଭାବରେ ଛଟପଟ ହେଉଛି ଜନଜୀବନ । ତେଣୁ ପ୍ରଦର୍ଶନର ୧୧୬ଦିନ ପରେ ରାଷ୍ଟ୍ରପତି ଭବନକୁ କବଜା କରିଛନ୍ତି ପ୍ରଦର୍ଶନକାରୀ । ରାଜପକ୍ଷେ ପରିବାର ୪୨ହଜାର କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ରହିଛି । ଚାପ ପଡିବା ପରେ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଇସ୍ତଫା ଦେବା ସହ ଆତ୍ମଗୋପନ କରିଛନ୍ତି । ଶ୍ରୀଲଙ୍କାର ବର୍ତମାନ ସ୍ଥିତି ପାଇଁ ଶ୍ରୀଲଙ୍କାବାସୀ ଗୋଟବାୟା ପରିବାରକୁ ଦାୟୀ କରି ଆସୁଛନ୍ତି ।