ଶିବସେନା ବିବାଦର ଘୁଞ୍ଚିଲା ଶୁଣାଣି । ନ୍ୟାୟପାଳିକାକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ!

163

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେଙ୍କ ସମେତ ଦଳର ୧୬ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ମାମଲାରେ ଏକାଧିକ ପିଟିସନ ଦାଖଲ ହୋଇଥିବାରୁ ଏଥିପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ କହିଛନ୍ତି ସୁପ୍ରମିକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା । ଏଥିପାଇଁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି କୋର୍ଟ ।

ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁୁ ଶିବସେନା ସାଂସଦ ସଞ୍ଜୟ ରାଉତ ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତ. ଏହା ସିନ୍ଦେ ସରକାରର ବଞ୍ଚିବା ତିଷ୍ଠିବା ଉପରେ ନୁହେଁ ଗଣତନ୍ତ୍ରର ପ୍ରତିଷ୍ଠା ଉପରେ ପ୍ରଶ୍ନ ଉଠିଛି । ମୁକ୍ତ ଏବଂ ସ୍ୱଚ୍ଛ ନ୍ୟାୟପାଳିକା ପାଇଁ ଏହା ଏକ ବଡ଼ ପରୀକ୍ଷା । ଉଦ୍ଧବ ଠାକରେ ସରକାରରେ ଉପ ବାଚସ୍ପତି ଜାରି କରିଥିବା ଅଯୋଗ୍ୟ ଘୋଷଣା ମାମଲାରେ ସିନ୍ଦେ ସରକାରରେ ନୂଆ ବାଚସ୍ପତି ହୋଇଥିବା ରାହୁଲ ନରୱେକରଙ୍କୁ ଆଗାମୀ ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ ନ୍ୟାୟାଳୟ ।

ମାମଲାର ଶୁଣାଣି ପୂର୍ବରୁ ସିନ୍ଦେ ଗୋଷ୍ଠୀଙ୍କ ପକ୍ଷରୁ ଶିବସେନାର ନୂଆ ଦଳ ମୁଖ୍ୟ ହୋଇଥିବା ଭରତ ଗୋଗୱାଲେ ଉଦ୍ଧବଙ୍କ ଗୋଷ୍ଠୀର ୧୨ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନୋଟିସ୍ ଜାରି କରିଥିଲେ । ଆଉ ଯାହାକୁ ଗ୍ରହଣ କରିନେଇଥିଲେ ନୂଆ ବାଚସ୍ପତି । ସିନ୍ଦେ ଗୋଷ୍ଠୀ ୧୬ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାରୁ ଶୁଣାଣି ପୂର୍ବରୁ ନୂଆ ବାଚସ୍ପତି ରାହୁଲ ନରୱେକର ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଛାଡି ତାଙ୍କ ଗୋଷ୍ଠୀର ଥିବା ବାକି ୧୨ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ନୋଟିସ୍ ଜାରି କରିଥିଲେ । ଯାହା ଉପରେ ରୋକ ଲଗାଇଛନ୍ତି ସର୍ବୋଚ ନ୍ୟାୟାଳୟ ।

ଦୁଇ ପକ୍ଷ ପକ୍ଷରୁ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣି ହେବାକୁ ଥିବା ବେଳେ ସୋମବାର ନିର୍ବାଚନ କମିଶନଙ୍କ ପାଖକୁ ଯାଇଛନ୍ତି ଉଦ୍ଧବ ଠାକରେ । ଯଦି ସିନ୍ଦେ ଶିବସେନାର ଦଳୀୟ ଚିହ୍ନ ‘ଧନୁ, ତୀର’ର ଦାବିଦାର ବୋଲି ଦାବି କରନ୍ତି, ତେବେ କୌଣସି ନିର୍ଦ୍ଦେଶ ନ ଦେବାକୁ ସର୍ତକ କରାଯାଇଛନ୍ତି ଉଦ୍ଧବଙ୍କ ଗୋଷ୍ଠୀ ।