ଆପଣ ବ୍ୟବହାର କରୁଥିବା ବ୍ରାଣ୍ଡଗୁଡିକର ଲୋଗୋର ଅର୍ଥ କ’ଣ ? ଆସନ୍ତୁ ଜାଣିବା କ’ଣ ରହିଛି ଆଦିଦାସ୍, ଆମାଜନ୍, ଗୁଗଲ ଭଳି ଲୋଗୋ ପଛର କାରଣ ।

132

ପ୍ରତିଦିନ ଆମେ ବ୍ୟବହାର କରୁଥିବା ସାମଗ୍ରୀ ହେଉ ବା ଅନ୍ୟ କିଛି, ତାହାର ଲୋଗୋରୁ ଦେଖି ଆମେ ଉତ୍ପାଦ ବିଷୟରେ ଧାରଣା କରିପାରୁ। ଏ ଲୋଗୋଗୁଡ଼ିକ ଆମପାଇଁ ବେଶ୍ ପରିଚିତ। କେବେ ଚିନ୍ତା କରିଛନ୍ତି କି ଏ ଲୋଗୋଗୁଡ଼ିକର ଅର୍ଥ କ’ଣ ଆଉ କ’ଣ ଏହା ପଛର କାହାଣୀ!

ଆଦିଦାସ୍ : ଏହି ପ୍ରସିଦ୍ଧ ବ୍ରାଣ୍ଡଟି ତା’ର ତିନୋଟି କଳା ରଙ୍ଗର ସରୁ ଗାର ଥିବା ଲୋଗୋ ପାଇଁ ପ୍ରସିଦ୍ଧ। ଏହାକୁ ୧୯୭୬ ମସହାରେ ଡିଜାଇନ୍ କରାଯାଇଥିଲା। ପ୍ରକୃତରେ ଏହି ଲୋଗୋକୁ କେବଳ ଜୋତାରେ ସୁନ୍ଦର ଦେଖାଯିବା ଓ ଅନ୍ୟ ବ୍ରାଣ୍ଡଗୁଡ଼ିକଠାରୁ ନିଆରା ଦେଖାଯିବା ପାଇଁ ତିଆରି କରାଯାଇଥିଲା। ନବେ ଦଶକରେ ଏହାକୁ ପର୍ବତର ଶିଖର ପରି କରାଯାଇଥିଲା। ଯାହା ବର୍ତ୍ତମାନ ଆଥଲେଟମାନଙ୍କୁ ସଂଘର୍ଷ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ପ୍ରେରଣା ଦେଉଛି। ‘ଆଦିଦାସ୍’ ନାମଟି ଏହାର ପ୍ରତିଷ୍ଠାତା ଆଡଲଫ୍ ଦାସଲରଙ୍କ ନାମରୁ ଆସିଛି।

ଆମାଜନ୍ : ବିଶ୍ୱର ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ୍ ‘ଆମାଜନ୍’ ବିଷୟରେ କିଏ ବା ନ ଜାଣେ। ଲୋଗୋଟିକୁ ଚାହିଁଲେ ପ୍ରଥମେ ଏକ ହସ ହସ ମୁହଁ ଆଖିରେ ପଡ଼େ। ଏହି ଲୋଗୋରେ ଥିବା ସ୍ମାଇଲ ଓ ତୀର ଚିହ୍ନର ପ୍ରକୃତ ଅର୍ଥ ହେଉଛି,‘‘ଆମେ କିଛି ବି କେଉଁଠାରେ ବି ପହଞ୍ଚାଇବାରେ ଖୁସି ହେବୁା’’ କିନ୍ତୁ ଆମାଜନ୍ ଡଟ୍ କମ୍ ଏକ ନୂଆ ପ୍ରେସ୍ ବିଜ୍ଞପ୍ତିରେ ଅନ୍ୟ ଏକ ଅର୍ଥ ଦର୍ଶାଇଥିଲା। ଯାହା କିଛି ଏମିତି ଥିଲା। ଏକ ସ୍ମାଇଲ୍ ‘ଏ’ରୁ ଆରମ୍ଭ ହୋଇ ‘ଜେଡ’ରେ ଶେଷ ହେଉଛି। ଆମାଜନରେ ‘ଏ ଠାରୁ ଜେଡ୍’ ପର୍ଯ୍ୟନ୍ତ ଗ୍ରାହକ ତାଙ୍କ ପସନ୍ଦର ସବୁ ଜିନିଷ ଏଠି ପାଇବେ ବା କିଣିପାରିବେ ।

ଆପଲ୍ : ଏହି ବ୍ରାଣ୍ଡଟି ବିଷୟରେ କିଏ ବା ନ ଜାଣେ। ଏହାର ପ୍ରଥମ ଲୋଗୋଟି ରନ୍ ୱେନିଙ୍କ ଦ୍ୱାରା ତିଆରି ହୋଇଥିଲା, ଯେଉଁଥିରେ ସାର୍ ଆଇଜାକ୍ ନିଉଟନ୍ ଗୋଟିଏ ସେଓ ଗଛ ତଳେ ବସିଥିବାର ଦେଖାଯାଇଥିଲା। ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଅଣାଯାଇ ‘ଆପଲ’ର ଚିହ୍ନକୁ ରଖାଯାଇଥିଲା। ‘ଆପଲ’ର ଏହି ଲୋଗୋରେ ଥିବା ଖଣ୍ଡିଆ ଚିହ୍ନଟି ପାଇଁ ଏହାକୁ କେହି ଚେରୀ ଭାବିବେନି; ତାହାହିଁ ଲୋଗୋରେ ଥିବା ଖଣ୍ଡିଆ ଚିହ୍ନର ମୁଖ୍ୟ କାରଣ ଥିଲା।

ବିଏମଡବ୍ଲ୍ୟୁ : ଜର୍ମାନର ଏହି କାର୍ କମ୍ପାନୀ ଏକଦା ଉଡ଼ାଜାହାଜର ଯନ୍ତ୍ରାଂଶ ଓ ଏୟାରକ୍ରାଫ୍ଟ ଇଞ୍ଜିନ୍ ତିଆରି କରୁଥିଲା। ଏହି କାରଣରୁ ଅନେକ ବିଶ୍ୱାସ କରନ୍ତି ଯେ ଧଳା ଓ ନୀଳ ରଙ୍ଗର ଲୋଗୋଟି ଉଡ଼ାଜାହାଜର ଚାଳନ ଚକ୍ର ଓ ତା’ ପଛରେ ଥିବା ଆକାଶକୁ ଦର୍ଶାଇଥାଏ।

ଡୋମିନୋସ୍ ପିଜା : ସମସ୍ତେ ଏହି ପିଜା ଲୋଗୋ ବିଷୟରେ ଜାଣନ୍ତି। ଏଥିରେ ଥିବା ତିନୋଟି ବିନ୍ଦୁ ପ୍ରଥମ କରି ଖୋଲିଥିବା ଡୋମିନୋସ୍ର ତିନୋଟି ମୁଖ୍ୟ ରେଷ୍ଟୁରାଣ୍ଟର ଶାଖାକୁ ସୂଚାଇଥାଏ। ପ୍ରତିଷ୍ଠାତା ମୋନାଘାନ୍ ଏହାର ପ୍ରତିଟି ଶାଖା ଖୋଲିବା ସହ ପ୍ରତିଥର ଲୋଗୋରେ ଏକ ନୂଆ ବିନ୍ଦୁ ସାମିଲ କରିବାର ଯୋଜନା କରିଥିଲେ। କିନ୍ତୁ କାଳକ୍ରମେ ଏହା ସମ୍ଭବ ହୋଇପାରି ନଥିଲା।

ଗୁଗଲ : ଗୁଗଲ ବିଷୟରେ କିଏବା ନ ଜାଣେ। ଏହାର ଲୋଗୋଟି ଦେଖିବାକୁ ଭାରି ସାଦାସିଧା। ଏହାର ଅକ୍ଷରଗୁଡ଼ିକ ମୁଖ୍ୟତଃ ତିନୋଟି ରଙ୍ଗକୁ ନେଇ ତିଆରି ହୋଇଛି। ମାତ୍ର ଏହାର ‘ଏଲ୍’ ଅକ୍ଷରଟି ଏକ ଅଲଗା ରଙ୍ଗରେ ସ୍ଥାନିତ ହୋଇଛି। ଏହାର ଅର୍ଥ ହେଉଛି ଯେ ଗୁଗଲ ଅନ୍ୟ କମ୍ପାନୀମାନଙ୍କଠାରୁ ଟିକିଏ ଅଲଗା ଆଉ ଟିକିଏ ସ୍ୱତନ୍ତ୍ର।

ଆଇବିଏମ : ଏହି ଲୋଗୋରେ ଥିବା ସମାନ୍ତର ରେଖାଗୁଡ଼ିକ ପଛରେ ଏକ କାରଣ ଅଛି। ଯେତେବେଳେ ଏହି ଲୋଗୋର ଡିଜାଇନ୍ କରାହୋଇଥିଲା, ସେତେବେଳେ ମୋଟା ଅକ୍ଷର ମୁଦ୍ରଣରେ ସମସ୍ୟା ଦେଖାଯାଉଥିଲା। କାଳି ବୋହିବା ଆଶଙ୍କା କରି ମୂଳ ଲୋଗୋରେ ଥିବା ୧୩ଟି ଗାରକୁ କମାଯାଇ ୮ ଟି କରାଯାଇଥିଲା। ଏହି ଲୋଗୋରେ ଥିବା ଗାରଗୁଡ଼ିକ ସମାନତାର ମୂଲ୍ୟକୁ ଦର୍ଶାନ୍ତି।

ମ୍ୟାକଡୋନାଲ୍ଡ : ସାରା ବିଶ୍ୱରେ ଲୋକପ୍ରିୟ ଏହି ରେଷ୍ଟୁରାଣ୍ଟର ଲୋଗୋକୁ ଦେଖିଲେ ଆମେ ସମସ୍ତେ ଇଂରାଜୀ ଅକ୍ଷର ‘ଏମ’ର କଳ୍ପନା କରିଥାଉ। କିନ୍ତୁ ବାସ୍ତବରେ ଏହି ସଦୃଶ ତୋରଣଗୁଡ଼ିକ ଏହି ରେଷ୍ଟୁରାଣ୍ଟର ବିଲଡିଂ ଡିଜାଇନର ଏକ ଅଂଶ। ଏହି ତୋରଣଗୁଡ଼ିକ ବହୁତ ଦୂର ରାସ୍ତାକୁ ଦିଶୁଥିବାରୁ ଲୋକମାନଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା, ଯାହା ଫଳରେ କମ୍ପାନୀର ଲୋକପ୍ରିୟତା ବଢ଼ିଥିଲା। ସେବେଠୁ ଏହା କମ୍ପାନୀର ଲୋଗୋ ଭାବେ ରହିଆସିଛି। ରୁଥ୍ କେଦାର ଏହି ଲୋଗୋର ଡିଜାଇନ୍ କରିଥିଲେ।

ପେପସି : ପେପସିର ଲୋଗୋଟି ୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତିଆରି ହୋଇଥିଲା। ଏଥିରେ ଥିବା ତିନୋଟି ରଙ୍ଗ ଭିନ୍ନ ଭିନ୍ନ ଦଳମାନଙ୍କୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ମୁଖ୍ୟ ଲୋଗୋଟି କେବଳ ବୋତଲର ଠିପିରେ ମୁଦ୍ରିତ ଥିଲାବେଳେ ଅନ୍ୟ ଏକ ଲୋଗୋ ବୋତଲର ଦେହରେ ରହୁଥିଲା। ୧୯୪୫ ସୁଦ୍ଧା ଏହା ପେପସିର ଅଫିସ୍ ଲୋଗୋ ହୋଇଗଲା। ୨୦୦୯ ମସିହାରେ ଲୋଗୋରେ ଥିବା ଧଳା ରଙ୍ଗଟିକୁ ଏକ ହସର ପ୍ରତୀକ ଭାବେ ପରିବର୍ତ୍ତିତ କରାଗଲା। ପେପସିର ପ୍ରତ୍ୟେକଟି ଉତ୍ପାଦରେ ଏହି ସ୍ମାଇଲର ଭିନ୍ନ ଭିନ୍ନ ପ୍ରକାର ଦେଖିବାକୁ ମିଳେ। ଯେମିତିକି ଡାଏଟ୍ ପେପସିରେ ଥିବା ଚିହ୍ନଟି ସାଧାରଣ ପେପସିର ଚିହ୍ନଠାରୁ ଅପେକ୍ଷାକୃତ ଛୋଟ।