୫-ଟି ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ୟ୍ୟାୟ, ସାମିଲ ହେଲେ ୨୯୦୮ଟି ସ୍କୁଲ । ସ୍କୁଲ ରୂପାନ୍ତରଣ ପିଲାଙ୍କ ସ୍ୱପ୍ନରେ ଡେଣା ଲଗାଇଛି: ମୁଖ୍ୟମନ୍ତ୍ରୀ

157

କନକ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ୟ୍ୟାୟ ସ୍କୁଲ ରୂପାନ୍ତରଣ ଶେଷ ହୋଇଛି । ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ୟ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ରାଜ୍ୟର ୫ଟି ଜିଲ୍ଲା – ଖୋର୍ଦ୍ଧା, ବୌଦ, ମାଲକାନଗିରି, ସୋନପୁର ଓ ମୟୁରଭଂଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି । ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ୟ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ୟ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରିକରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ୟ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ୟ୍ୟହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ୟ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ୟ୍ୟକ୍ରମ ରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ସୁଦାମ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସାଂସଦ ଶ୍ରୀ ରମେଶ ମାଝୀ ଓ ବିଧାୟକ ଶ୍ରୀ ପ୍ରଦୀପ ଅମାତ ପ୍ରମୁଖ ଉଦବୋଧନ ଦେଇଥିଲେ ।

ସେହଭଳି ୫ଟି ଯାକ ଜିଲ୍ଲା ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ମାଲକାନଗିରି, ଖୋର୍ଦ୍ଧାର ଛାତ୍ରଛାତ୍ରୀ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ସ୍କୁଲ ରୂପାନ୍ତରଣ କିପରି ସେମାନଙ୍କ ମନରେ ଆଶା ଓ ବିଶ୍ୱାସ ଭରି ଦେଇଛି ତାହା କହିବା ସହିତ ସେମାନଙ୍କ ସ୍କୁଲ ଏବେ ଭୁବନେଶ୍ୱର ର ସ୍କୁଲ ମାନଙ୍କ ଠାରୁ କିଛି କମ ନୁହେଁ ବୋଲି ଆନନ୍ଦ ପ୍ରକାଶ କରିଥିଲେ। ୫ଟି ସଚିବ ଭି କେ ପାଣ୍ଡିଆନ କାର୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜି ଗୋଟିଏ ଦିନରେ ପାଞ୍ଚ ଟି ଜିଲ୍ଲାର ରେକର୍ଡ ୫୩୨ଟି ହାଇସ୍କୁଲ ଲୋକାର୍ପିତ ହେଲାା ମୟୁରଭଞ୍ଜରେ ସର୍ବାଧିକ ୩୩୯ଟି ସୋନପୁରରେ ୪୧ ଟି ବୌଦ୍ଧ ରେ ୨୪ଟି ମାଲକାନଗିରି ରେ ୪୭ଟି ଓ ଖୋର୍ଦ୍ଦା ରେ ୮୧ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହା ପ୍ରକ୍ରିୟା ଜୁନ ଦଶ ତାରିଖ ପର୍ୟ୍ୟନ୍ତ ଚାଲିବ ।