ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ, ଆଜି ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

113

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ୟ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ।

କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ବପ୍ନ ଓ ଏହି ସ୍ବପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ବପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ୟ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ।

୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତରଣ ହେଉଛି, ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ । ୫-ଟିର ପଞ୍ଚ ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜୀ, ଟିମ ୱାର୍କ, ଟାଇମ, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି ।

୫-ଟିର ତୃତୀୟ ଆଧାର ହେଉଛି ଟାଇମ, ଏ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡର ୫୦ଟି ସ୍କୁଲର ରୂପାନ୍ତରଣ କାର୍ୟ୍ୟ ଶେଷ କରିବା ପାଇଁ ମୁଁ ପ୍ରଶାସନକୁ ଲକ୍ଷ୍ୟ ଦେଇଥିଲି । ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁଁ ।