ବିନା ସେଟ୍ରିଂରେ ପଡିଥାଆନ୍ତା ନିଗମାନନ୍ଦ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟର ଛାତ । ବାଉଁଶ ଢିରାରେ ଛାତ ପାଇଁ ବିଛା ଯାଇଥିଲା ଲୁହାରଡ । ନିମ୍ନମାନର କାମ ସ୍କୁଲ ଘର ନିର୍ମାଣ ବାବଦକୁ ଆସିଥିବା ଅର୍ଥ ହଡପ ଅଭିଯୋଗ ।

1,311

କନକ ବ୍ୟୁରୋ: ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା । ସାମ୍ନାକୁ ଆସିଲା ଠକ ଠିକାଦାରଙ୍କ କାରନାମା । ବିନା ସଟ୍ରିଂରେ ରଡ ବାନ୍ଧିଥିଲେ ଛାତ ପକାଇବା ପାଇଁ  ଆଉ ଏହି ଖବର ଗଣମାଧ୍ୟମ ନଜରକୁ ଆସିବା ପରେ ଖୋଲିନେଲେ ଲୁହାଛଡ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଳା ବଡଚଣା ବ୍ଲକ ବରଦା ପଞ୍ଚାୟତ ଅଞ୍ଚଳରେ ।

ସେଠାକାର ନିଗମାନନ୍ଦ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟରେ ବିନା ସେଟ୍ରିଂରେ ଛାତ ପକାଇବା ପାଇଁ ବ୍ୟବସ୍ଥା ହୋଇଥିଲା । ବାଉଁଶ ଢିରା ଦେଇ ବିଦ୍ୟାଳୟର ନୂତନ କୋଠାର ଛାତ ପକାଇବା ଉଦ୍ଦେଶ୍ୟରେ ଲୁହାରଡ ବିଛା ଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି, ବାଉଁଶ ଢିରା ଭରସାରେ ବିଛାଯାଇଥିବା ଲୁହା ଛଡ ଉପରେ ଗୋଡି, ସିମେଣ୍ଟ ଓ ବାଲିର କଙ୍କ୍ରିଟ ମିଶ୍ରଣ ଢାଳି ଛାତ ପକାଇଥାନ୍ତେ ଠିକାଦାର । ତେବେ ସ୍କୁଲର ଶ୍ରେଣୀ ଗୃହ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର ବିନା ସେଟ୍ରିଂରେ ଛାତ ପକାଇବା ପାଇଁ ବ୍ୟବସ୍ଥା କରୁଥିବା ଅଭିଯୋଗ ହୋଇଛି ।

୧୯୬୫ ମସିହାରୁ ପ୍ରତିଷ୍ଠିତ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠ ପଢିବା ବ୍ୟବସ୍ଥା ରହିଛି । ଫନି ବାତ୍ୟାରେ ସ୍କୁଲର ଘର ଭାଙ୍ଗି ଯାଇଥିଲା । ଏହାର ମରାମତି ସହ ନୂଆ ଶ୍ରେଣୀ ଗୃହ ପାଇଁ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଏହାରି ଭିତରେ ୬ ମାସ ବିତିଲାଣି କିନ୍ତୁ ନୂଆ ଶ୍ରେଣୀଗୃହ ନିର୍ମାଣ ସରିନାହିଁ । କିନ୍ତୁ ତରବରିଆ ଭାବେ ବିଲ କରି ନେବା ପାଇଁ ଠିକାଦାର ଅତି ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଠିକାଦାରଙ୍କୁ ନିର୍ମାଣ କାମର ତଦାରଖ କରୁଥିବା ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ସହଯୋଗ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ତେବେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଟଙ୍କା ଦେଉଥିବା ବେଳେ ଅସାଧୁ ଉପାୟରେ ଏହାକୁ ଚଳୁ କରିବା ପାଇଁ ଉଦ୍ୟମ କରୁଥିବା ଠକ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।