ଶୁଖୁଛି ମହାନଦୀ, ଆଗକୁ ଆହୁରି କମିବ ଜଳ ପ୍ରବାହ । ବିଧାନସଭାରେ ସ୍ୱୀକାର କଲେ ଜଳସଂପଦ ମନ୍ତ୍ରୀ । କହିଲେ ଛତିଶଗଡ ବ୍ୟାରେଜ କରିଥିବାରୁ ଶୁଖିଯାଉଛି ଜଳ ଧାରା ।

69

କନକ ବ୍ୟୁରୋ : ଖରା ଦିନ ଆସିବା ଆଗରୁ ମହାନଦୀର ଏଭଳି ଅବସ୍ଥା । କିଛି ମାସ ତଳେ କୁଳଲଂଘି ବନ୍ୟା କରିଥିବା ଏହି ନଦୀ ଏବେ ସରୁ ଧାରରେ ସୀମିତ ହୋଇଯାଇଛି । ନଦୀ ଶଯ୍ୟା ଏବେ ବିଶାଳ ମରୁଭୂମି ପରି ଦେଖାଯାଉଛି । ବୌଦ୍ଧ ସହରର ପାନୀୟ ଜଳ ଯୋଗାଣର ଉତ୍ସ ହେଉଛି ମହାନଦୀ । ତେଣୁ ଆଗକୁ ସ୍ଥିତି ଉକ୍ରଟ ହେବା ସମ୍ଭାବନା ରହିଛି । ଏପଟେ ମତ୍ସ୍ୟଜୀବୀ ବେଉସା ହରାଇବା ଆଶଙ୍କାରେ ବଂଚୁଛନ୍ତି ।

ଓଡିଶାର ଜୀବନରେଖା ମହାନଦୀରେ ଜଳ ପ୍ରବାହ ଆହୁରି କମିବା ନେଇ ଆଶଙ୍କା କରିଛନ୍ତି ସରକାର । ଆଗାମୀ ବର୍ଷ ଅଣମୌସୁମୀ କାଳରେ ଚଳିତ ବର୍ଷ ଜଳ ପ୍ରବାହ କମିଥିବା ନେଇ ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି । ଛତିଶଗଡ ବ୍ୟାରେଜ୍ କରିଥିବା କାରଣରୁ କ୍ରମାଗତ ଭାବେ ମହାନଦୀର କମୁଛି ଜଳ ପ୍ରବାହ । ଅନ୍ୟପଟେ ଛତିଶଗଡରେ ଭରି ରହିଛି ପାଣି । ତେବେ ଏହି ପ୍ରସଙ୍ଗ ଟ୍ରିବ୍ୟୁନାଲ ନିକଟରେ ବିଚାରାଧୀନ ରହିଛି ବୋଲି ଗୃହରେ ଉତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମହାନଦୀର ଉପରମୁଣ୍ଡରେ ଛତିଶଗଡ ନିର୍ମାଣ କରିଥିବା ବ୍ୟାରେଜ ଓ ଏହାର ପ୍ରଭାବ ନେଇ ପ୍ରଶ୍ନ ଉଠାଇଥିଲେ ।

ଅନ୍ୟପଟେ ମହାନଦୀର ତଳମୁଣ୍ଡରେ ସରକାରଙ୍କ ପ୍ରକଳ୍ପର ଯୋଜନା ନେଇ ଶାସକ ଓ ବିରୋଧୀ ଦଳ ପକ୍ଷରୁ ହୋଇଥିବା ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରୀୟ ଜଳ କମିଶନଙ୍କ ନିକଟକୁ ୧୫ଟି ପ୍ରକଳ୍ପ ପାଇଁ ଅନୁମତି ମଗାଯାଇଥିବା ବେଳେ ମହାନଦୀ ବିବାଦ ଯୋଗୁଁ ସେଥିରୁ ୭ଟି ପ୍ରକଳ୍ପକୁ ଫେରାଇ ଦେଇଛନ୍ତି । ଅନ୍ୟପଟେ ଇନ୍ଷ୍ଟ୍ରିମ ଷ୍ଟୋରେଜ୍ ପାଇଁ ୨୩ଟି ପ୍ରକଳ୍ପର ଯୋଜନା ଥିବା ବେଳେ ଚଳିତ ବର୍ଷ ୧୩ଟି ପ୍ରକଳ୍ପ କରାଯିବ ବୋଲି ଜଳସଂପଦ ମନ୍ତ୍ରୀ ବିଧାନସଭାରେ ଉତର ରଖିଛନ୍ତି । କିନ୍ତୁ ମହାନଦୀ ତଳମୁଣ୍ଡରେ ଯେତିକି ବ୍ୟାରେଜ କରିବା ପାଇଁ ଉଦ୍ୟମ କରିବା କଥା ତାହା କରାଯାଇନଥିବା ସ୍ୱୀକାର କରିଛନ୍ତି ମନ୍ତ୍ରୀ ।