ଓଡ଼ିଶା ହାଇକୋର୍ଟର ରେକର୍ଡ ରୁମରେ ରହିଛି ୨୦୦ ବର୍ଷର ପୁରୁଣା ନଥିପତ୍ର । ସୁରକ୍ଷିତ ରଖିବା ପାଇଁ ଆରମ୍ଭ ହେଲା ଡିଜିଟାଇଜେସନ୍ ପ୍ରକ୍ରିୟା ।
କନକ ବ୍ୟୁରୋ: ଓଡିଶା ହାଇକୋର୍ଟର ଆଇନ ଅଦାଲତକୁ ପେପର ଲେସ କରିବା ଅଭିଯାନ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ରେକର୍ଡ ରୁମର ନଥିପତ୍ରକୁ ଡିଜିଟାଲାଇଜ କରାଯାଉଛି । ବ୍ରିଟିଶ ଅମଳର ଅଦାଲତି ନଥିପତ୍ର, ପାର୍ସି ଭାଷାରେ ଲିଖିତ ଅର୍ଡର କପି ହାଇକୋର୍ଟ ରେକର୍ଡ ରୁମର ସୁରକ୍ଷିତ ରହିଛି । ତେବେ ୧୯୫୦ ପୂର୍ବବର୍ତ୍ତୀକୁ ସାଇତି ରଖାଯାଉଥିବା ବେଳେ ପରବର୍ତ୍ତୀ ନଥିପତ୍ରକୁ ସ୍କାନ କରାଯାଇ ଡିଜିଟାଲାଇଜ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଡିଶା ହାଇକୋର୍ଟର ରେକର୍ଡ ରୁମରେ ୨ଶହରୁ ଅଧିକ ବର୍ଷର ନଥିପତ୍ର ମହଜୁଦ ରହିଛି । ୧୮୧୭ ମସିହାରୁ ପ୍ରାୟ କ୍ରିମିନାଲ ଓ ସିଭିଲର ମୋଟ ୧୦ଲକ୍ଷ ୧୧ ହଜାର ରେକର୍ଡ ସୁରକ୍ଷିତ ଅବସ୍ଥାରେ ରହିଛି କିନ୍ତୁ ଏହା ଭିତରେ ଯୁଗ ବଦଳିଗଲାଣି । ଏବେ ପେପର ଲେସ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । କାରଣ ଏସବୁ ନଥିପତ୍ର ଦିନେ ନା ଦିନେ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ହାଇକୋର୍ଟ ରେକର୍ଡ ରୁମରେ ବ୍ରିଟିଶ ଅମଳର ଅଦାଲତି ରେକର୍ଡ ଗୁଡିକ ଏବେ ବି ସୁରକ୍ଷିତ ରହିଛି । ଅବଶ୍ୟ ୧୯୫୦ ମସିହା ପୂର୍ବର ରେକର୍ଡକୁ ସାଇତି ରଖାଯାଉଥିବା ବେଳେ ପରବର୍ତ୍ତୀ କାଳର ସମସ୍ତ ରେକର୍ଡକୁ ଡିଜିଟାଲାଇଜ୍ କରାଯାଉଛି ।
ହାଇକୋର୍ଟ ସମେତ କଟକ, ବାଲେଶ୍ୱର, ସମ୍ବଲପୁର ଓ ଗଂଜାମ ଜିଲ୍ଲାର ସମସ୍ତ ଅଦାଲତ ରେକର୍ଡଗୁଡିକୁ ଡିଜିଟାଲାଇଜ୍ କରାଯାଉଛି । ଏହି କ୍ରମରେ ପିଟିସନ କପି, ଅର୍ଡର କପି, ମାମଲା ପରିଚାଳନା ସଂପର୍କିତ ସମସ୍ତ ନଥିପତ୍ରକୁ ସଫ୍ଟ କପି କରାଯାଉଛି । ତେଣୁ ରେକର୍ଡ ସାଇତି ରଖିବା ନେଇ ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା, ତାହାର ସମାଧାନ ହେବ ବୋଲି ଆଶା କରାଯାଉଛି । ରାଜ୍ୟର ସମସ୍ତ ଆଇନ ଅଦାଲତକୁ ପେପରଲେସ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି ।