ସରକାରୀ ଚାକିରି ବୟସରେ କୋହଳ ପରେ ପ୍ରକାଶ ପାଇଲା ପ୍ରତିକ୍ରିୟା। ବିଶେଷଜ୍ଞ କହିଲେ, ନିର୍ବାଚନକୁ ଆଖି ଆଗରେ ରଖି ନିଆଯାଇଛି କି ନିଷ୍ପତ୍ତି?

507

କନକ ବ୍ୟୁରୋ: ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ବଢ଼ାଇଛନ୍ତି ରାଜ୍ୟ ସରକାର । ୨୦୨୧କୁ ମିଶାଇ ୩ ବର୍ଷ ପାଇଁ ଏହା କାର୍ଯ୍ୟକାରୀ ହେବ । ଅର୍ଥାତ୍ ଯେଉଁମାନେ ୨୦୨୧ରେ ଚାକିରି ପାଇଁ ଆବେଦନ କରିଥିଲେ ସେମାନେ ମଧ୍ୟ ଏହାର ଫାଇଦା ପାଇବେ । ତେବେ ପ୍ରଶ୍ନ ଉଠୁଛି, ପଞ୍ଚାୟତ ନିର୍ବାଚନ ଆଗକୁ ଥିବାରୁ ଚାକିରି ଆଶାୟୀ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ଉଦ୍ୟମ ନା’ ଏଥିରେ ଅନେକ ଆଶାୟୀ ଉପକୃତ ହେବେ ।

ବଢିଲା ସରକାରୀ ଚାକିରୀ ଆବେଦନ ବୟସ ସୀମା । ଏଣିକି ୫୩ ବର୍ଷ ବୟସ ପର୍ଯ୍ୟନ୍ତ ଯୋଗ୍ୟ ହେବେ ବିଭିନ୍ନ ବର୍ଗର ଆଶାୟୀ । ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହେବା ପରେ ଏହାର ପ୍ରଭାବକୁ ନେଇ ଆରମ୍ଭ ହୋଇଛି ଆକଳନ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ଯୁବଗୋଷ୍ଠିଙ୍କୁ ଆକୃଷ୍ଟ କରିବାକୁ ବ୍ୟବସ୍ଥା ଆପଣାଇଛନ୍ତି ନା ପ୍ରକୃତରେ ଏହାର ଫାଇଦା ଆଶାୟୀଙ୍କୁ ମିଳିବ, ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି ।

ଚାକିରୀ ଆବେଦନ ପାଇଁ ସାଧାରଣ ବର୍ଗଙ୍କ ପାଇଁ ଥିବା ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଅନୂସୂଚିତ ଜାତି, ଜନଜାତି, ମହିଳା ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ସମୟ ସୀମା ୪୩ ବର୍ଷ କରାଯାଇଛି । ସରକାରଙ୍କ ଏହି ନିଷ୍ପତି ପରେ ସାଧାରଣ ବର୍ଗର ଭିନ୍ନକ୍ଷମଙ୍କ ଚାକିରୀ ଆବେଦନ ସୀମା ୪୮ ହୋଇଥିବା ବେଳେ, ଅନୂସୂଚିତ ଜାତି, ଜନଜାତି ଓ ଏସଇବିସି ଭିନ୍ନକ୍ଷମ ପ୍ରାର୍ଥୀ ୫୩ ବର୍ଷ ପର୍ଯ୍ୟନ୍ତ ଚାକିରୀ ପାଇଁ ଆବେଦନ କରିପାରିବେ । ତେବେ ଏହି ନିଷ୍ପତି କାହାକୁ ଲାଭ ପହଞ୍ଚାଇବ ତ କାହାକୁ କ୍ଷତି । କାରଣ ଯେଉଁମାନଙ୍କର ସରକାରୀ ଚାକିରୀ ପାଇଁ ଥିବା ଆବେଦନର ପ୍ରୟାସ ସରିଯାଇଛି, ସେମାନଙ୍କ କ୍ଷେତ୍ରରେ ଏହା ବିଶେଷ ଫଳପ୍ରଦ ହେବନାହିଁ । ସେହିଭଳି ମାତ୍ର ୩ ବର୍ଷ ପାଇଁ ଏହା କାର୍ଯ୍ୟକାରୀ ହେବାକୁ ଥିବାରୁ ଏହାକୁ ନିର୍ବାଚନୀ ନିଷ୍ପତି ବୋଲି ବି କୁହାଯାଉଛି ।

କୋଭିଡ ମହାମାରୀ ସମୟରେ ବହୁ ଆଶାୟୀ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିନଥିବାରୁ ସରକାର ଏହି ବୟସ ସୀମା ନିର୍ଦ୍ଧାରଣ କରିଛନ୍ତି ବୋଲି କହିଛନ୍ତି । ଆସନ୍ତା ୩ ବର୍ଷ ପାଇଁ ଅର୍ଥାତ୍ ୨୦୨୧, ୨୦୨୨ ଓ ୨୦୨୩ ପାଇଁ ପ୍ରକାଶିତ ହୋଇଥିବା କିମ୍ବା ହେବାକୁ ଥିବା ବିଜ୍ଞପ୍ତି ପାଇଁ ଏହି କୋହଳ ନିୟମ ଲାଗୁ ହେବ । ତେବେ ସର୍ବୋଚ୍ଚ ବୟସ ସୀମା ଅତିକ୍ରମ କରିଯାଇଥିବା ତଥା ସରକାରୀ ଚାକିରୀ ପାଇଁ ମନ ବଳାଇଲା ବେଳକୁ ବୟସ ଅତିକ୍ରମ କରିଯାଇଥିବା ଆଶାୟୀଙ୍କ ପାଇଁ ଏହା ପୁଣି ସୁଯୋଗ ଆଣିଦେଇଛି ବୋଲି କୁହାଯାଉଛି । ସେହିଭଳି ସରକାରୀ ବ୍ୟସ୍ଥାର ଦୁର୍ବଳତା ଯୋଗୁ ବଞ୍ଚିତଙ୍କ ପାଇଁ ପୁଣି ଆଶା ସଞ୍ଚାର କରିଛି ।