ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା । କହିଲେ, ଜାରି ରହିବ ପୁରୀ ପ୍ରକଳ୍ପ । କାମ ବନ୍ଦ କରିବାକୁ କହିନାହାଁନ୍ତି ହାଇକୋର୍ଟ ।

203

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାର । ସରକାରଙ୍କ ତରଫରୁ କୁହାଯାଇଛି ଯେ, ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୂର୍ବଭଳି ଜାରି ରହିବ । କାମ ବନ୍ଦ କରିବାକୁ ହାଇକୋର୍ଟ କହିନାହାଁନ୍ତି । ତେଣୁ ତ୍ୱରାନ୍ୱିତ ବେଗରେ କାମ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି । ଅନ୍ୟପଟେ ନ୍ୟାସନାଲ ମୁନ୍ୟମେଣ୍ଟ ଅଥରିଟିର ଏନେଇ ଏନଓସି ରହିଛି । ଓଡିଶା ସରକାର ଏଏସଆଇ ସହ ମିଶି କାମ କରିବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସଆଇ ସତ୍ୟପାଠ ଦାଖଲ କରିଛି । ପ୍ରତ୍ନତତ୍ତ୍ୱ ବିଭାଗର ସତ୍ୟପାଠ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ରିପୋର୍ଟରେ କୁହାଯାଇଛି, ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମନ୍ଦିର ପାଖରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ଦିଆଯାଇନାହିଁ । ସେହିପରି ସରକାର ଅନୁମତି ମାଗିବା ବେଳେ ଯେଉଁ ଡିଜାଇନ ଦେଇଥିଲେ ପ୍ରକଳ୍ପ ତିଆରି ବେଳେ ସେଥିରେ ପରିବର୍ତ୍ତନ କରି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖନନ ପାଇଁ ଶ୍ରୀମନ୍ଦିରକୁ କ୍ଷତି ପହଁଚିଥାଇପାରେ ବୋଲି ପ୍ରତ୍ନତତ୍ୱ ବିଭାଗ ସତ୍ୟପାଠରେ ସଂକେତ ଦେଇଛି ।

ହାଇକୋର୍ଟରେ ଏଏସଆଇ ଦେଇଥିବା ସତ୍ୟପାଠରୁ ଜଣାପଡୁଛି ଯେ, ଏନଏମଏରୁ ଏନଓସି ଆଣିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କାମର ଡିଜାଇନକୁ ବଦଳାଇ ଦିଆଯାଇଛି । ଐତିହ୍ୟ ସ୍ଥଳର ପ୍ରତିବନ୍ଧିତ ଅଂଚଳରେ ଏଭଳି ନିର୍ମାଣ ପାଇଁ କୌଣସି ଅନୁମତି ମଧ୍ୟ ନିଆଯାଇ ନାହିଁ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ ନିର୍ମାଣ ଓ ଖନନ କାମର ଯୁଗ୍ମ ଅନୁଧ୍ୟାନ କରିବାକୁ ଏଏସଆଇକୁ କହିଥିଲେ ହାଇକୋର୍ଟ । ଶ୍ରୀମନ୍ଦିର ପ୍ରତି ଏହା ବିପଦ ସୃଷ୍ଟି କରୁଛି ନା ନାହିଁ ସତ୍ୟପାଠ ଆକାରରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏଏସଆଇ ଆଂଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପୁରୀରେ ପହଂଚି ଉଭୟ ପ୍ରତିବନ୍ଧିତ ଓ ନିୟନ୍ତ୍ରିତ ଅଂଚଳରେ ଚାଲିଥିବା ନିର୍ମାଣ କାମକୁ ବୁଲି ଦେଖିଥିଲେ । ସେନେଇ କୋର୍ଟଙ୍କୁ ଜଣାଇଛି ଭୁବନେଶ୍ୱର ସ୍ଥିତ ଏଏସଆଇର ଆଂଚଳିକ କାର୍ଯ୍ୟାଳୟ ।