ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁହଁ ଖୋଲିଲେ ଅଧ୍ୟାପକ: କହିଲେ, ମୁଁ ନିର୍ଦ୍ଦୋଷ, ତଦନ୍ତରେ କରିବି ସହଯୋଗ

168

କନକ ବ୍ୟୁରୋ: ସମ୍ବଲପୁର ୟୁନିଭର୍ସିଟିରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ବୁର୍ଲା ପୋଲିସର ଦୁଇ ଜଣିଆ ଟିମ୍ ୟୁନିଭର୍ସିଟିରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ପ୍ରଶ୍ନପତ୍୍ର ଲିକ୍ ହେଲା, ସେ ନେଇ ଛାନଭିନ୍ ଚାଲିଛି । ପୂର୍ବରୁ ପୋଲିସ୍ ଅଧିକାରୀ କୁଳପତିଙ୍କୁ ଭେଟିଥିବା ବେଳେ ଏବେ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ପଚରାଉଚରା କରିଛିି । ଏହି ଘଟଣାରେ ସମସ୍ତଙ୍କୁ ପରିସରଭୁକ୍ତ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ସମ୍ବଲପୁର ୟୁନିଭର୍ସିଟିରେ ଏଜୁକେସନ, ଫିଜିକ୍ସ ଅନର୍ସ ପେପର ଲିକ୍ ଘଟଣାରେ କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ୟୁନିଭର୍ସିଟିର କୁଳପତି । ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ପଟଦାର ବୋଲି ଅଭିଯୋଗ ହେଉଥିବା କୁଚିଣ୍ଡା କଲେଜ ଅଧ୍ୟାପକ ନିର୍ମଳ ଉର୍ମା ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ନେଇ ତାଙ୍କର କୌଣସି ହାତ ନାହିଁ । ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି । ୟୁନିଭର୍ସିଟିର କୁଳପତି ଏବଂ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ଅଧ୍ୟାପକ ଉର୍ମା ନିଜ ପକ୍ଷ ରଖିଛନ୍ତି ।

ସେପଟେ ବିଧାନସଭାରେ ପ୍ରଶ୍ନପତ୍ର ଲିକ୍ ମାମଲା ଉଠିଛି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ।