ସମାଧାନ ହେବ ସମସ୍ୟା, ଗିରଫ ହେବେ ଅଭିଯୁକ୍ତ । ବହୁ ବାଦ ବିବାଦ ପରେ ସମାଧାନ ହେଲା ନବରଙ୍ଗପୁର ଓ କଳହାଣ୍ଡି ସୀମାନ୍ତରେ ରହୁଥିବା ବନବାସୀଙ୍କ ସମସ୍ୟା

135

କନକ ବ୍ୟୁରୋ: ଗିରଫ ହେବେ ଅଭିଯୁକ୍ତ, ଘରକୁ ଫେରିବେ ବନବାସୀ । ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଓ କଳାହାଣ୍ଡି କକସରା ବ୍ଲକ ସୀମାନ୍ତ ସାହାଜଖାଲ ଜଙ୍ଗଲରୁ ଗ୍ରାମବାସୀମାନଙ୍କୁ ବିତାଡିତ କରିବା ଘଟଣାର ପୂର୍ଣ୍ଣଛେଦ ପଡିଛି । ନବରଙ୍ଗପୁର ଓ କଳାହାଣ୍ଡି ପ୍ରଶାସନ ସହିତ ଗାଁରୁ ବିତାଡିତ ପରିବାର ଏବଂ ସେମାନଙ୍କୁ ସମର୍ଥନ କରୁଥିବା କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ମଧ୍ୟରେ ଆଲୋଚନା ପରେ ସମାଧାନର ବାଟ ଫିଟିଛି । ବନବାସୀଙ୍କ ଦାବିକୁ ପ୍ରଶାସାନ ମାନି ନେବା ପରେ ବିବାଦର ଅବସାନ ଘଟିଛି ।

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ପରେ ବନବାସୀଙ୍କ ବିବାଦର ସମାଧାନ ବାଟ ବାହାରିଛି । ଉଭୟ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ପ୍ରଶାସନ, ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତି କଂଗ୍ରେସ ନେତା ପ୍ରଦୀପ ମାଝୀ ଓ ବିତାଡିତ ବନବାସୀଙ୍କ ବୈଠକ ହୋଇଥିଲା । ଚନ୍ଦାହାଣ୍ଡି ବ୍ଲକ ସାହାଜଖାଲ ଗାଁ ବିବାଦରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଗାଁରୁ ବିତାଡିତ ଗ୍ରାମବାସୀ ଘରୁ ଫେରିବାକୁ ରାଜି ହୋଇଛନ୍ତି । ବନବାସୀ ମାନେ ପୂର୍ବରୁ ଯେଉଁ ଶାହାଜଖାଲ ଜଙ୍ଗଲରେ ରହୁଥିଲେ ସେଇଠି ରହିବା ନେଇ ବୈଠକରେ ନିଷ୍ପତି ହୋଇଛି । ବର୍ତମାନ ବନବାସୀ ପୂର୍ବ ବାସସ୍ଥଳୀକୁ ଯାଇ ଚାଷ ବାସ କରିବେ, ସେମାନଂକୁ କଳାହାଣ୍ଡି ତହସିଲଦାର ତରଫରୁ ପଲିଥିନ ଓ କ୍ଷତି ପୂରଣ ଯୋଗାଇ ଦିଆଯିବ ।

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତୀ ସାହାଜଖୋଲ ଜଙ୍ଗଲରେ ଦୀର୍ଘ ୨୦ ବର୍ଷ ଧରି ରହି ଆସୁଥିଲେ ଆଦିବାସୀ । ଗତ ଜୁନ ୩୦ ତାରିଖରେ କୋକସରା ବ୍ଲକ ଗୋତମୁଣ୍ଡା ଗାଁର ହେମନ୍ତ ମାଝୀଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀଙ୍କ ସହ ଗୋତମୁଣ୍ଡା ଗାଁର ଶତାଧିକ ଗ୍ରାମବାସୀ ଜଙ୍ଗଲକୁ ଯାଇ ଇଟାପାଣି ଓ କୁମେରପାଣିର ଆଦିବାସୀଙ୍କୁ ମାଡ଼ ମାରିବା ସହ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଏମିତି କି ଜଙ୍ଗଲରୁ ତଡି ଦେଇଥିବା ନେଇ ଆମପାଣି ଥାନାରେ ଏତଲା ଦେଇଥିଲେ ବିତାଡିତ ଗ୍ରାମବାସୀ । ଅଭିଯୁକ୍ତଙ୍କ ଗିରଫ ସହ ବିତାଡିତ ବନବାସୀଙ୍କୁ କ୍ଷତିପୂରଣ ଦାବିରେ ଆଦିବାସୀମାନେ ଆନ୍ଦୋଳନରେ ବସିଥିଲେ । ଦିନକୁ ଦିନ ବିବାଦ ଜଟିଳ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସରେ ବସିଥିଲା ବୈଠକ । ଆଉ ଏହି ବୈଠକ ପରେ ସବୁ ବିବାଦ ଅବସାନ ଘଟିଛି ।

ନିରୀହ ଆଦିବାସୀଙ୍କ ଉପରେ ଏଭଳି ଅତ୍ୟାଚାରକୁ ସାଧାରଣ ରେ ନିନ୍ଦା କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ ନହେଲେ ପୁଣିଥରେ ଆନ୍ଦୋଳନ ସମ୍ଭାବନାକୁ ଏଡାଇ ଦିଆଯାଇ ନପରେ ।