୨ ଦିନ ପରେ ଜମ୍ମୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ଗସ୍ତ ପୂର୍ବରୁ ଶାମ୍ବା ଜିଲ୍ଲାରେ ସିଆଇଏସଫର ଏକ ବସ ଉପରେ ଆତଙ୍କବାଦୀ ଆକ୍ରମଣ

111

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ବା ଜିଲ୍ଲା ଗସ୍ତର ଦୁଇଦିନ ପୂର୍ବରୁ ଜାମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି । ସକାଳ ସିଫ୍ଟରେ ଯାଉଥିବା ସିଆଇଏସଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ୯ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବସରେ ୧୫ ଜଣ ସୁରକ୍ଷା କର୍ମୀ ଥିଲେ । ପ୍ରଥମେ ଗ୍ରେନେଡ ମାଡ କରିବା ପରେ ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ ।

ଅର୍ଦ୍ଧ ସାମରିକ ବାହିନୀର ପାଲଟା ଗୁଳିରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ଏବେ ବି ସେଠାରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଜାମ୍ମୁ ସୁଞ୍ଜୁଆନ ଜିଲ୍ଲାର ସେନାକ୍ୟାମ୍ପ ନିକଟରେ ଏହି ଗୁଳି ବିନିମୟ ହୋଇଛି । ସେନା କ୍ୟାମ୍ପ ଉପରେ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ଜଣାପଡିଛି । ସିଆଇଏସଏଫ ସହ ଏସଓଜି ଏବଂ ସିଆରପିଏଫ ମିଳିତ ଅପରେସନ ଚଳାଇଛନ୍ତି । ପୂର୍ବରୁ ୨୦୧୮ ଫେବ୍ରୁଆରୀ ୧୦ ତାରିଖରେ ସୁଞ୍ଜୁଆନରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ଜେଇଏମ ଆତଙ୍କବାଦୀ । ଏଥିରେ ୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ସମସ୍ତ ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଯବାନ ।