ମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାବଣ ଉପାଖ୍ୟାନ ଉପରେ ଜବାବ ରଖିଲେ ପ୍ରଧାନମନ୍ତ୍ରୀ: କହିଲେ ଯେତିକି ଗାଳି ମିଳିବ, ସେତିକି ଫୁଟିବ ପଦ୍ମ

116

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାବଣ ସହ ତୁଳନା କହିବା ପରେ ରାଜନୀତି ଜୋର ଧରିଛି । ଏହି ଟିପ୍ପଣୀକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ମୋଦି କହିଛନ୍ତି , କଂଗ୍ରେସ ରାମଭକ୍ତଙ୍କୁ ଅପମାନ କରୁଛି । ମୋଦିଙ୍କୁ ଗୁଜୁରାଟ ଦେଇଥିବା କ୍ଷମତାକୁ ନେଇ କଂଗ୍ରେସ ଚିନ୍ତାରେ ଅଛି ବୋଲି ମୋଦି କହିଛନ୍ତି ।

ଗୁଜରାଟ ନିର୍ବାଚନ ତାତି ଭିତରେ ବୟାନବାଜିକୁ ନେଇ ରାଜନୈତିକ ଉଷ୍ମତାର ପାରା ଉପରମୁହାଁ ହୋଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାବଣ ସହ ତୁଳନା କରିବା ପରେ ଏବେ ବେଶ ଜୋରଦାର ହୋଇଛି ଏହି ବୟାନବାଜୀ । ଯେଉଁ ଢଙ୍ଗରେ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେଇଥିଲେ ଠିକ ସେଭଳି ଅନ୍ଦାଜରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଟିକେ ନଜର ପକାନ୍ତୁ କେମିତି ଥିଲା ସେହି ଖଡ଼ଗେଙ୍କ ଟିପ୍ପଣୀ ଓ ମୋଦିଙ୍କ ଜବାବ ।

ମଂଚ ଉପରୁ କଂଗ୍ରେସ ଓ ଖଡ଼ଗେଙ୍କୁ ସିଧାସଳଖ ଟାର୍ଗେଟ କରି ମୋଦି କହିଛନ୍ତି ଜନତା ମୋଦିଙ୍କୁ ଗଢିଛନ୍ତି । ତେଣୁ ତାଙ୍କ ଅପମାନ ଅର୍ଥ ଏହା ସିଧାସଳଖ ଜନତାଙ୍କ ଅପମାନ । ଗୁଜରାଟ ତାଙ୍କୁ ପରିଚୟ, ସମ୍ମାନ, ଶକ୍ତି ଦେଇଛି । ଏହି କ୍ଷମତା ଦେଖି କଂଗ୍ରେସ ବିଚଳିତ ହୋଇପଡିଛି । ଏଥିସହ ମୋଦି କହିଛନ୍ତିି ଖଡ଼ଗେଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । କଂଗ୍ରେସର ଇସାରାରେ ସେ ଏଭଳି ଟିପ୍ପଣୀ ଦେଇଛନ୍ତିି । ଗୋଟିଏ ପରିବାରକୁ ଖୁସି କରିବା ପାଇଁ ଏଭଳି କହିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଗାଳି କରିବା ପାଇଁ ବିରୋଧୀ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।

ସୋମବାର ଅହମ୍ମଦାବାଦ ଠାରେ ରାଲି କରିବା ସମୟରେ ଖଡ଼ଗେ ମୋଦିଙ୍କୁ ସମାଲୋଚନା କରିଥିଲେ । ମୋଦିଙ୍କର ୧୦୦ ଟା ମୁହଁ ଅଛି ବୋଲି ଖଡ଼ଗେ କହିବା ପରେ ଏହାକୁ ନେଇ ରାଜନୀତି ବୟାନବାଜୀ ଜୋର ଧରିଛି ।