ଅନାସ୍ଥା ଭୋଟ ପୂର୍ବରୁ ବଡ଼ ଖେଳ ଖେଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଇମ୍ରାନଙ୍କ ସୁପାରିଶ ପରେ ପାକ୍ ସଂସଦକୁ ଭାଙ୍ଗିଦେଲେ ରାଷ୍ଟ୍ରପତି 

261

କନକ ବ୍ୟୁରୋ: ଭାରତର ପଡୋଶୀ ପାକିସ୍ତାନ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ଭୋଟ ପୂର୍ବରୁ ପ୍ରସ୍ତାବ ଖାରଜ ହୋଇଯାଇଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରି ତିନି ମାସ ଭିତରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବିରୋଧୀ ବିନା ଭୋଟରେ ଅବିଶ୍ୱାସ ପ୍ରସ୍ତାବ ଖାରଜକୁ ଅଗଣତାନ୍ତ୍ରିକ ଦର୍ଶାଇ ସୁପ୍ରିମକୋର୍ଟ ଯାଇଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଇମ୍ରାନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀଙ୍କ କିଛି ଦିନର କସରତକୁ ପ୍ରଧାନମନ୍ତ୍ରୀ ଗୋଟିଏ ଦିନରେ ପଲଟେଇ ଦେଇଛନ୍ତି ।

ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନୂଆ ମୋଡ ନେଇଛି । ଆସ୍ଥା ଭୋଟ ପୂର୍ବରୁ ପ୍ରସ୍ତାବ ଖାରଜ ହେବା ଓ ସେପଟେ ଇମ୍ରାନଙ୍କ ସୁପାରିଶ ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିବାରୁ ପାକିସ୍ତାନ ପୁଣି ନିର୍ବାଚନ ମୁହାଁ ହୋଇଛି ।

ପାକିସ୍ତାନରେ ରାଜନୈତିକ ସଂକଟ ରୋଚକ ରୂପ ନେଇଛି । ସଂସଦରେ ଅନାସ୍ଥା ଭୋଟ ପୂର୍ବରୁ ବଡ ଚାଲ ଖେଳିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଇମ୍ରାନ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ଉପବାଚସ୍ପତି କାସିନ ଖାନ । ତେବେ ଏହାର କିଛି ସମୟ ପରେ ସଂସଦରେ ଅନୁପସ୍ଥିତ ଇମ୍ରାନ ଖାନ ଟେଲିଭିଜନରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଇମ୍ରାନ୍ ଖାନ୍ କହିଥିଲେ ସଂସଦ ଭଙ୍ଗ ପାଇଁ ସେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି । ସରକାର ଭାଙ୍ଗିବାକୁ ବିଦେଶୀ ଶକ୍ତିର ଷଡଯନ୍ତ୍ର ଫେଲ ମାରିଥିବାରୁ ସେ ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ସେପଟେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଧାନମନ୍ତ୍ରୀଙ୍କ ସୁପାରିଶର ଅଧଘଣ୍ଟା ପରେ ସଂସଦକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି ଆରିଫ ଅଲଭି । ଏଥିସହ ୯୦ଦିନ ଭିତରେ ସାଧାରଣ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସରକାର ଗଠନ ଯାଏଁ ଇମ୍ରାନ ଖାନ କାମଚଳା ପ୍ରଧାନମନ୍ତ୍ରୀ ରହିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି  ।

  • ଅନାସ୍ଥା ଖାରଜ ବିରୋଧରେ ସୁପ୍ରିମକୋର୍ଟ ଗଲେ ବିରୋଧୀ 
  • ପାକିସ୍ତାନ ସଂସଦ ଭଙ୍ଗ, ଏବେ ସୁପ୍ରିମକୋର୍ଟ ଉପରେ ନଜର 

ରବିବାର ରାଜନୈତିକ ଘଟଣାକ୍ରମ ପରେ କୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିବା ଜଣାପଡିଛି । ସେପଟେ ସଂସଦରେ ଅନାସ୍ଥା ପ୍ରସ୍ତାବ ଖାରଜକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି ବିରୋଧୀ ଦଳ । ତେଣୁ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି । ତେଣୁ ଏବେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି । ବିରୋଧୀଙ୍କ ଉପରେ ଆରୋପ ଲଗାଇ ଇମ୍ରାନ ଖାନ କହିଛନ୍ତି, ବିଦେଶୀ ଶକ୍ତିଙ୍କ ସହ ହାତ ମିଳାଇ ବିରୋଧୀ ଏଭଳି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହାର ପ୍ରମାଣ ଦେବାକୁ ଯାଇ, ସେ ଏକ ଚିଠି ଦେଖାଇଛନ୍ତି, ଯେଉଁଥିରେ ଇମ୍ରାନ ସରକାରଙ୍କୁ ହଟାଇବା ପାଇଁ ଆମେରିକା ଷଡଯନ୍ତ୍ର କରିଛି ।

ପାକିସ୍ତାନ ରାଜନୀତିରେ ଅବାଧ ହସ୍ତକ୍ଷେପ କରୁଥିବା ନେଇ ସବୁ ବେଳେ ଚର୍ଚ୍ଚାରେ ଥିବା ପାକିସ୍ତାନ ସେନା କିନ୍ତୁ ଏହି ମାମଲାରୁ ନିଜକୁ ଦୁରେଇ ରଖିଛି । ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ବାଜୱା କହିଛନ୍ତି, ଯାହା ଚାଲିଛି, ତାହା ରାଜନୈତିକ ଘଟଣାକ୍ରମ, ଏଥିରେ ସେନାର କିଛି କରିବାର ନାହିଁ ।