କନକ ବ୍ୟୁରୋ: ତାଜୁବ କରିବ ବ୍ୟାଙ୍କ ଚେୟାରମ୍ୟାନଙ୍କ ଦରମା । ଭାଇରାଲ ହେଲା ଅଫର ଲେଟର । ଆମେ କହୁଛୁ ଦେଶର ଅଗ୍ରଣୀ ବ୍ୟାଙ୍କ ଏଚଡିଏଫସିର ପୂର୍ବତନ ଚେୟାରମ୍ୟାନ୍ ଦୀପକ ପାରେଖଙ୍କ କଥା । ଡେପୁଟି ମ୍ୟାନେଜର ଭାବେ ଚାକିରୀରେ ଯୋଗ ଦେଇଥିବା ଦୀପକ ପାରେଖ ୨୦୨୩ ଜୁନରେ ଚେୟାରମ୍ୟାନ୍ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ଇସ୍ତଫା ଦେବା ପରେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ।

Advertisment

କଥା ହେଉଛି ଜୁଲାଇ ପହିଲାରେ ଏଚଡିଏଫସି ଲିମିଟେଡ୍ ଏଚଡିଏଫ୍ସି ବ୍ୟାଙ୍କ ସହ ମର୍ଜ ହେବା ପରେ ଭ୍ୟାଲୁଏସନ୍ ଆଧାରରେ ଏହା ଦୁନିଆର ଚତୁର୍ଥ ବଡ ବ୍ୟାଙ୍କର ମାନ୍ୟତା ହାସଲ କରିଛି । ହେଲେ ଏହି ମର୍ଜ ହେବାର ଠିକ୍ ଦିନକ ପରେ ବ୍ୟାଙ୍କକୁ ୪ ଦଶନ୍ଧୀ ଧରି ସେବା ଯୋଗାଇ ଆସୁଥିବା ତଥା ବ୍ୟାଙ୍କର କମାଣ ସମ୍ଭାଳୁଥିବା ଏଚଡିଏଫସି ଚେୟାରମ୍ୟାନ୍ ଦୀପକ ପାରେଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ଇସ୍ତଫା ଦେବା ପରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଏହାର କାରଣ ହେଉଛି ତାଙ୍କର ଅଫର ଲେଟର । ୧୯୭୮ ରେ ତାଙ୍କୁ ମିଳିଥିବା ଅଫର ଲେଟର ଏବେ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୪୫ ବର୍ଷ ପୂର୍ବରୁ ସେ ବ୍ୟାଙ୍କର ଡେପୁଟି ମ୍ୟାନେଜର ଭାବେ ଯୋଗ ଦେବା ସମୟରେ ତାଙ୍କ ଦରମା କେତେ ଥିଲା ତାହା ଏହି ଅଫର ଲେଟରରେ ଉଲ୍ଲେଖ ହୋଇଛି ।

୪୫ ବର୍ଷ ତଳର ଏହି ଅଫର ଲେଟରକୁ ଜଣେ ୟୁଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଅଫର ଲେଟର ମୁତାବକ, ଦୀପକ ପାରେଖ ୧୯୭୮ ଜୁଲାଇ ୧୯ ତାରିଖରେ ଏଚଡିଏଫସି ବ୍ୟାଙ୍କର ଡେପୁଟି ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । ଏହି ସମୟରେ ତାଙ୍କୁ ମିଳିଥିବା ଅଫର ଲେଟରରେ ତାଙ୍କର ବେସିକ୍ ସାଲାରି ଥିଲା ମାତ୍ର ୩,୫୦୦ ଏବଂ ୫୦୦ଟଙ୍କା ମହଙ୍ଗା ଭତ୍ତା । ଏହା ସହ ୧୫ ପ୍ରତିଶତ ହାଉସିଙ୍ଗ ଆଲାଉନ୍ସ, ୧୦ ପ୍ରତିଶତ ସିସିଏ. ପିଏଫ୍, ଗ୍ରାଚୁଇଟି, ମେଡିକାଲ ବେନିଫିଟ୍, ଟେଲିଫୋନ୍ ଆଲାଉନ୍ସ ଆଦି ଉଲ୍ଲେଖ କରାଯାଇଥିଲା । ଏହି ଅଫର ଲେଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜୁଲାଇ ପହିଲାରେ ଏଚଡିଏଫସି ବ୍ୟାଙ୍କ ଏହାର ଫାଇନାନ୍ସ ଗ୍ରୁପ ସହ ମିଶିଯିବା ପରେ ବ୍ୟାଙ୍କର ସମସ୍ତ ନିବେଶକଙ୍କୁ ଟ୍ୱିଟ୍ କରି ଇସ୍ତଫା ଦେଇଛନ୍ତି ବ୍ୟାଙ୍କ ଅଧ୍ୟକ୍ଷ ଦୀପକ ପାରେଖ । ବ୍ୟାଙ୍କର ଅଗ୍ରଗତି ଦିଗରେ ପାରେଖଙ୍କ ଅବଦାନ ଅତୁଳନୀୟ । ଏଥିପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଛି । ଦେଶର ଅର୍ଥନୈତିକ ବିକାଶ ଦିଗରେ ତାଙ୍କର ଅନୁଭବ ବାସ୍ତବିକ ଅତୁଳନୀୟ ବୋଲି ପାରେଖ ଟ୍ୱିଟ କରି କହିଛନ୍ତି ।

ଏଚଡିଏଫସି ଲିମିଟେଡ୍ ଓ ଏଚଡିଏଫସି ବ୍ୟାଙ୍କ ସହ ମର୍ଜର ହେବା ପରେ ଏହା ଦେଶର ଦ୍ୱିତୀୟ ମୂଲ୍ୟବାନ୍ ଫର୍ମ ଭାବେ ଉଭା ହୋଇଛି । ଏବେ ଏହାର ମାର୍କେଟ କ୍ୟାପିଟାଲାଇଜେସନ୍ ୧୪.୭ ଲକ୍ଷ କୋଟିରେ ପହଞ୍ଚିଛି ।