ଦୀପାବଳିରେ ଓଡିଶା-ଝାଡଖଣ୍ଡ ସୀମାରେ ଗୁଳିମାଡ । ପୂର୍ବ ପିଏଲଏଫଆଇ ମଦନ ମାଝିଙ୍କ ମୃତ୍ୟୁ

122

କନକ ବ୍ୟୁରୋ : ଆଜି ସନ୍ଧ୍ୟା ପ୍ରାୟ ୬ଟା ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନାରୁ ମାତ୍ର ୩୦ କିମି ଦୂର ଓଡିଶା -ଝାଡ଼ଖଣ୍ଡ ସୀମାନ୍ତରେ ଗୁଳିକାଣ୍ଡ ହୋଇଛି । ପିଏଲଏଫଆଇ ଗୁଳି ମାଡରେ ପୂର୍ବ ପିଏଲଏଫଆଇ ମଦନ ମାଝି (୪୫)ର ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଉଭୟ ଝାଡ଼ଖଣ୍ଡ ଓ ଓଡିଶା ପୁଲିସ ଘଟଣାର ତଦନ୍ତ ଚଳାଇଛନ୍ତି । ସୂଚନା ମୁତାବକ ମୃତ ମଦନ ପିଏଲଏଫଆଇ ସଙ୍ଗଠନର ଜଣେ ସକ୍ରିୟ ସଦସ୍ୟ ଥିଲା ।

ଗତ ପାଞ୍ଚ ବର୍ଷ ତଳେ ପିଏଲଏଫଆଇ ସଙ୍ଗଠନ ଛାଡି ନୂଆଗାଁ ପୁରୁଣାପାଣିରେ ରହୁଥିଲା । ସଙ୍ଗଠନ ଛାଡିବା ପରେ ପୁଲିସ ଇନଫର୍ମର ସନ୍ଦେହରେ ପିଏଲଏଫଆଇ ମଦନକୁ ମାରିବାକୁ ଅନେକବାର ପ୍ରୟାସ କରିଥିଲେ । ମାତ୍ରେ ସଫଳ ହୋଇପାରୁ ନ ଥିଲେ । ଆଜି ସନ୍ଧ୍ୟାରେ ମଦନ ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ଗେରଦା ଫାଣ୍ଡି ଅନ୍ତର୍ଗତ ଜମାତେଇ ଜଙ୍ଗଲ ନିକଟରେ କୁକୁଡା ଲଢେଇର ଆୟୋଜନ କରିଥିଲା ।

ତା ଉପସ୍ଥିତିରେ କୁକୁଡା ଲଢେଇ ଚାଲିଥିବାବେଳେ ପିଏଲଏଫଆଇ ସଦସ୍ୟ ପହଞ୍ଚି ଗୁଳି ଚଳାଇଥିଲେ । ମଦନର ଦେହରେ ଗୁଳି ବାଜିବାରୁ ସେ ଗୁରୁତର ଅବସ୍ଥାରେ ତଳେ ପଡି ଯାଇଥିଲା । କିଛି ଲୋକ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।