ଓଡ଼ିଶାରେ ବଢୁଛି ରକ୍ତଚାପ ରୋଗୀଙ୍କ ସଂଖ୍ୟା । କମ୍ ଲୋକ ଖାଉଛନ୍ତି ଫଳମୂଳ ଓ କ୍ଷୀର, ଅଧିକ ଖାଉଛନ୍ତି ମାଂସ ।

402

କନକ ବ୍ୟୁରୋ : ରାଜ୍ୟରେ କିପରି ସ୍ୱାସ୍ଥ୍ୟ ବିଗୁଡିଛି, କରୋନା ସମୟରେ କିପରି ଅଣସଂକ୍ରାମକ ରୋଗ ବଢ଼ିଚାଲିଛି, ଏ ନେଇ ଚିନ୍ତାଜନକ ଚିତ୍ର ଦେଇଛି ଆସୋଚାମ । କରୋନା ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦାରିଦ୍ର୍ୟ, ଖରାପ ଖାଦ୍ୟାଭ୍ୟାସ, ବାୟୁ ପ୍ରଦୂଷଣ, ଚିକିତ୍ସା ଅବହେଳାରୁ ଅଣସଂକ୍ରମକ ରୋଗ ବ୍ୟାପିବାରେ ଲାଗିଛି । ଏ ନେଇ ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀଜ୍ ବା ଆସୋଚାମ୍ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରାଯାଇଛି । ଅସୁସ୍ଥତାରୁ ସୁସ୍ଥତା ଅଭିଯାନରେ ଓଡ଼ିଶା ସମ୍ପର୍କୀତ ତଥ୍ୟ ପ୍ରକାଶ ପାଇଛି । ସର୍ବେକ୍ଷଣ ଅନୁଯାୟୀ ଅଧିକ ଆମିଷ ଖାଦ୍ୟ, ଲାଲ ମାଂସ ଖାଇବା, ଜଙ୍କ ଫୁଡ ଏବଂ କମ୍ ପରିମାଣ ଫଳ ଖାଇବା ଦ୍ୱାରା ପେଟ ରୋଗ ଓ ମଧୁମେହ ଭଳି ରୋଗ କାୟା ବିସ୍ତାର କରିଛି ।

ଜାତୀୟ ହାର ତୁଳନାରେ ଓଡିଶାରେ ତୈଳଯୁକ୍ତ ଖାଦ୍ୟ ବ୍ୟବହାର, କ୍ଷୀର ଓ ଫଳର ବ୍ୟବହାର କମ କରିଥାନ୍ତି । ସେହିଭଳି ପ୍ରଦୂଷିତ ବାୟୁ କାରଣରୁ ମସ୍ତିଷ୍କ ବିକୃତି ଭଳି ରୋଗ ଦେଖାଯାଇଥାଏ । ଓଡିଶାର ୫୮ ପ୍ରତିଶତ ଲୋକ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି ନାହିଁ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଜାତୀୟ ହାର ତୁଳନାରେ ଅଣସଂକ୍ରାମକ ରୋଗ ଓଡ଼ିଶାରେ ଅଧିକ ହେଉଛି । ପେଟ ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ୱାସକ୍ରିୟା ଜନିତ ରୋଗ, ମସ୍ତିଷ୍କ ଜନିତ ରୋଗ, ଏବେ ଚିନ୍ତାର କାରଣ ହୋଇଛି ।

ଓଡିଶାରେ ଅଣସଂକ୍ରାମକ ରୋଗର ପ୍ରସାର ହାର ୨୭.୧୯ ପ୍ରତିଶତ ଥିବାବେଳେ ଜାତୀୟ ହାର ରହିଛି ୧୧.୬୩ ପ୍ରତିଶତ । ଏଭଳି କିଛି ରିପୋର୍ଟ ପ୍ରକାଶ କରିଛି ଆସୋଚାମ । ପେଟ ରୋଗ ପ୍ରସାରରେ ଜାତୀୟ ହାର ୩.୧୯% ଥିବାବେଳେ ରାଜ୍ୟରେ ଏହି ହାର ୧୫.୯୧% ରହିଛି । ଓଡ଼ିଶାରେ ଉଚ୍ଚ ରକ୍ତଚାପ ୯.୪୨% ହାରରେ ବଢ଼ୁଛି । ମଧୁମେହ ୩.୭୬%, ଶ୍ୱାସକ୍ରିୟା ଜନିତ ରୋଗ ୩.୭୪%, ମସ୍ତିଷ୍କ ବିକୃତି ୧.୭୫% ହାରରେ ବୃଦ୍ଧି ପାଉଛି । ଯାହା ଜାତୀୟ ହାରଠାରୁ ବେଶ ଅଧିକ ରହିଛି ।