ପର୍ଯ୍ୟଟକଙ୍କ ମନ ମୋହୁଛି ଏକାମ୍ର କ୍ଷେତ୍ର । ନୂଆ ରୂପକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଆସୁଛନ୍ତି ଲୋକେ ।

ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପରଠାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି

105

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପରଠାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦୀର୍ଘ ୧୦ ମାସ ପରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେହିଭଳି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆ‌କର୍ଷିତ କରୁଛି ବୋଲି ଚର୍ଚ୍ଚା ହେଉଛି । ଗତବର୍ଷ ଯେଉଁ ସମୟରେ ଏଠାରେ ସାଢ଼େ ୩ ହଜାର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଥିଲା, ଚଳିତ ବର୍ଷ ସେହି ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୮ ହଜାର ଛୁଇଁଲାଣି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଟୁରିଷ୍ଟ୍‌ ବସ୍‌ ଅଧିକ ଆସୁଥିବା ଏହାର ପ୍ରମାଣ । ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ୁଛି ବୋଲି କୁହାଯାଉଛି ।

ଜାନୁଆରି ୬ ତାରିଖରୁ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲାଯାଇଛି । ତେଣୁ ସ୍ବତଃ ଦେବଦର୍ଶନ ପାଇଁ ସାଧାରଣ ଲୋକେ ମନ୍ଦିରକୁ ଆସୁଛନ୍ତି । ପୂର୍ବରୁ ମନ୍ଦିର ପ୍ରବେଶ ଉପରେ କିଛି କଟକଣା ଥିଲା। କରୋନା ପରୀକ୍ଷା କରିବାକୁ ପଡ଼ୁଥିଲା । ମାତ୍ର ଏବେ ଏହି କଟକଣା କୋହଳ କରାଯାଇଛି । ସ୍କ୍ରିନିଂ କରି ମନ୍ଦିରକୁ ଛଡ଼ା ଯାଉଛି । ତେଣୁ ଏବେ ସର୍ବସାଧାରଣଙ୍କ ଭିଡ଼ ବଢ଼ିଛି । ବଡ଼ କଥା ହେଉଛି ଏବେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । ପ୍ରତିଦିନ ଅଧିକ ସଂଖ୍ୟକ ଟୁରିଷ୍ଟ ବସ୍‌ ପହଞ୍ଚୁଛି । ଏବେ ମନ୍ଦିର ଚାରିପଟରୁ ବହୁ କୋଠାବାଡ଼ି ଭଙ୍ଗା ଯାଇଥିବାରୁ ଗାଡ଼ି ପାର୍କିଂ ପାଇଁ ସୁବିଧା ହୋଇଛି ଓ ରାସ୍ତା ପ୍ରଶସ୍ତ ହୋଇପଡ଼ିଛି । ଫଳରେ ସୁବିଧାରେ ପର୍ଯ୍ୟଟକମାନେ ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ବୁଲି ପାରୁଛନ୍ତି । ସବୁ ମନ୍ଦିର ନିକଟରେ ପହଞ୍ଚି ପାରୁଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟ ସୌନ୍ଦର୍ଯ୍ୟ, ବିଭିନ୍ନ ଛୋଟ ମନ୍ଦିର ଓ ବିନ୍ଦୁସାଗର ମ୍ୟୁଜିକାଲ୍‌ ଫାଉଣ୍ଟ‌େନର ମଜା ନେଉଛନ୍ତି । ଆଗକୁ ଏହା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି ।

ଏବେ ଗର୍ଭଗୃହକୁ ଯିବାକୁ ଅନୁମତି ନାହିଁ । ଏହି କଟକଣା ହଟିବା ପରେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ନିଶ୍ଚୟ ବଢ଼ିବ । ସେବାୟତ ଶରତ ଚନ୍ଦ୍ର ପଣ୍ଡାଙ୍କ କହିବା କଥା ବିମାନ ଓ ରେଳ ଚଳାଚଳ ସ୍ୱାଭାବିକ ହେବା ପରେ ବାହାର ଭକ୍ତଙ୍କ ସଂଖ୍ୟା ବଢ଼ିବ । ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ଭଲ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି । ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥାଙ୍କ ସୂଚନାନୁସାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି । ପାର୍କିଂ ପାଇଁ ଅଧିକ ସୁବିଧା ହୋଇଛି । ବିଏମସି ଡେପୁଟି କମିସନର କମଲଜିତ୍‌ ଦାସଙ୍କ ସୂଚନାନୁସାରେ ପର୍ଯ୍ୟଟକମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଏଣିକି ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି ।