ଅବହେଳିତ ଆନ୍ଧ୍ର ସୀମାନ୍ତ ପାତ୍ରପୁର ପଂଚାୟତ: ୨୦ରୁ ଅଧିକ ଗାଁକୁ ନାହିଁ ରାସ୍ତା, ସ୍ୱାସ୍ଥ୍ୟ ସେବା ପାଇଁ ଆନ୍ଧ୍ର ଭରସା

87

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ । ନିକଟରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ବେଳେ ବେଶ ଚର୍ଚ୍ଚାକୁ ଆସିଥିଲା ଏହି ଅଂଚଳ । ବ୍ଲକର ଅଧିକାଂଶ ଗାଁ ଆନ୍ଧ୍ର-ଓଡିଶା ସୀମାରେ ରହିଛି । ଆନ୍ଧ୍ର ସେ ସବୁ ଅଂଚଳର ଲୋକଙ୍କୁ ନିଜ ପଂଚାୟତ ନିର୍ବାଚନରେ ସାମିଲ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଛକଛକରେ ଜଗିଥିଲେ ଓଡିଶା ପୁଲିସ । କିନ୍ତୁ ସୀମାନ୍ତ ବର୍ତୀ ଗାଁର ଅବସ୍ଥା କହିଲେ ନସରେ । କେବଳ ଭୋଟ ବେଳେ ପ୍ରଶାସନ ଓ ରାଜନେତାଙ୍କ ମନେ ପଡୁଥିବା ଗାଁ ଗୁଡିକରେ ନାହଁ ନଥିବା ସମସ୍ୟା । ସ୍ୱାଧିନତାର ଏତେ ବର୍ଷ ପରେ ବି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ।

ଓଡ଼ିଶା ଅନ୍ଧ୍ର ସିମାନ୍ତ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ତୁମ୍ବା ପଚଂୟତ । ଏହି ପଂଚାୟତର ୨୦ରୁ ଅଧିକ ଗାଁ ଆନ୍ଧ୍ର ସୀମାରେ ରହିଛି । ଯେଉଁଠି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ । ରାଜ୍ୟ ସରକାରଙ୍କ କୌଣସି ଯୋଜନା ସଠିକ୍ ଭାବରେ ପହଂଚି ପାରୁନାହିଁ । ମହେନ୍ଦ୍ର ତନେୟା ନଦୀ ଓ ଏହାର ୨ଟି ଶାଖା ନଦୀ ପାରି ହୋଇ ଗାଁକୁ ଯିବାକୁ ପଡୁଛି । ନଦୀରେ ପୋଲ ନାହିଁ କି ଗାଁକୁ ରାସ୍ତା ନାହିଁ । ତେଣୁ ବର୍ଷା ଦିନେ ପୁରା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ଗ୍ରାମବାସୀ ।

ସ୍ୱାସ୍ଥ୍ୟ ସେବା ପାଇଁ ପଡୋଶି ରାଜ୍ୟ ଉପରେ ନିର୍ଭର କରୁଥିବା ଲୋକଙ୍କୁ ନିଜର କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ସରକାର । ଗାଁ ଗାଁ ବୁଲି ଭତା ବାଂଟନ୍ତି ଆନ୍ଧ୍ର ଅଧିକାରୀ । ମାଗଣା ବିଦ୍ୟୁତ ମଧ୍ୟ ଯୋଗାଇ ଦେଉଛି । ଏହିଭଳି ମୌଳିକ ସୁବିଧା ମିଳୁଥିବାରୁ ଗ୍ରାମବାସୀ ଓଡିଶା ସରକାରଙ୍କ ଉପରୁ ଭରସା ହରାଉଥିବା ବେଳେ ପଡିଶା ସରକାରଙ୍କୁ ପ୍ରଶଂସା କରୁଛନ୍ତି ।

ଗ୍ରାମବାସୀ ବର୍ଷ ବର୍ଷ ଧରି ଦୁର୍ଦୀନରେ କାଳ କାଟୁଥିବା ବେଳେ ଦିନେ ରାଜନେତା କି ପ୍ରଶାସନିକ ବାବୁଙ୍କ ପାଦ ପଡେନି । ଏବେ ପଂଚାୟତ ନିର୍ବାଚନକୁ ନଜରରେ ରଖି ଗାଁ ଗାଁରେ ବୈଠକ ବସିଲାଣି । ଭୋଜି ଭାତର ଆସର ମଧ୍ୟ ଜମୁଛି । କିନ୍ତୁ ସ୍ଥାନୀୟ ଲୋକେ ଓଡିଶା ଅପେକ୍ଷା ଆନ୍ଧ୍ର ଆଡକୁ ଢଳୁଥିବା ଦେଖିବାକୁ ମିଳୁଛି ।