ଆଉ ପାଦେ ଆଗେଇଲା ଜୟପୁରରୁ ନବରଙ୍ଗପୁର-ମାଲକାନଗିରି ରେଳ ପ୍ରକଳ୍ପ । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟା ।

89

କନକ ବ୍ୟୁରୋ : ବିଳମ୍ବରେ ହେଉ ପଛେ ଆଉ ପାଦେ ଆଗକୁ ଗଡ଼ିଲା ରେଳ ଲାଇନ୍ । ରେଳ ମାନଚିତ୍ରରୁ ବାଦ ପଡ଼ିଥିବା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ସହ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣର ଜନ ଶୁଣାଣି । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ହେଲେ ରେଳ ଲାଇନ ପାଇଁ ଜମିହରାଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଅଙ୍କ ଛିଡ଼ୁନି ।

ପାଦେ ଆଗକୁ ଗଡ଼ିଲା ରେଳ ପଥ । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ରେଳ ସଂଯୋଗ କ୍ଷେତ୍ରରେ କାମ ଯେତିକି ଚାଲୁଛି ସେତିକି ଝୁଟୁଂଛି । କାରଣ ପ୍ରକଳ୍ପ ଆଗରେ କଂଟା ହୋଇଛି ଜମି ଅଧିଗ୍ରହଣ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ସହ ଯୋଡ଼ିବା ପାଇଁ ୫ ବର୍ଷ ପୁର୍ବରୁ ଆରମ୍ଭ ହୋଇଛି ମାଷ୍ଟର ପ୍ଳାନ । ରୋଡ଼ ମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇସାରିଛି, କିନ୍ତୁ କ୍ଷତିପୂରଣ ନେଇ କୌଣସି ଅଙ୍କ ଛିଡି ପାରୁନଥିବାରୁ ଜମି ଅଧିଗ୍ରହଣ ହୋଇ ପାରୁନଥିଲା । ହେଲେ ଏବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ନବରଙ୍ଗପୁର ଓ ଜୟପୁର ପର୍ଯ୍ୟନ୍ତ ୩୮ କିଲୋମିଟର ରେଳ ଲାଇନ ପାଇଁ ୭୩୨ ଏକର ଜମି ଆବଶ୍ୟକ । ଏହି ରେଳ ଧାରଣା କଡରେ ୧୦ଟି ଷ୍ଟେସନ ହେବ, ପ୍ରାୟ ୧୦ଟି ପଚାଂୟତର ୨୦ ଖଣ୍ଡ ଗାଁର ଲୋକେ ପ୍ରଭାବିତ ହେବେ । ସେହିପରି ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ୧୩୦ କିଲୋମିଟର ରେଳ ଲାଇନ ପାଇଁ ପ୍ରାୟ ୧୮୮ ଏକର ଜମି ଆବଶ୍ୟକ । ଏହି ରେଳ ଲାଇନ ଗଲେ ବୈପାରିଗୁଡ଼ା, କୁନ୍ଦ୍ରା ଓ ଜୟପୁର ବ୍ଳକର ୨୭ଟି ଗାଁ ପ୍ରଭାବିତ ହେବ । ଏଥିପାଇଁ କୋରାପୁଟ ଜିଲ୍ଳାର ଜୟନ୍ତଗିରି, ଆମ୍ବଗୁଡ଼ା ଓ ଫାମ୍ପୁଣିରେ ଜନଶୁଣାଣି ଆରମ୍ଭ ହୋଇଛି । ରେଳ ଲାଇନ ପାଇଁ ଲୋକଙ୍କ ମନରେ ଯେତିକି ଉତ୍ସାହ ସେତିକି ସନ୍ଦେହ ରହିଛି । ଜମି ହରାଉଥିବା ବ୍ୟକ୍ତିଙ୍କୁ ଉଚିତ ମୂଲ୍ୟ ସହ ପରିବାରର ଜଣଙ୍କୁ ଚାକିରି ପାଇଁ ଦାବି ହୋଇଛି ।

ରେଳ ଲାଇନ ନିର୍ମାଣ ହେଲେ ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ଗଡ଼ିବ ଏବଂ ୨ଟି ଜିଲ୍ଳାର ଅର୍ଥନୀତିର ବିକାଶ ହେବ । ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡା ବୋଲି କହିଛନ୍ତି କୋରାପୁଟ ସାଂସଦ ଓ ରେଳ ବିଭାଗର ଅଧିକାରୀ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ରେଳପଥ ସହ ଯୋଡ଼ିବା ପାଇଁ କାମ ଯେତିକି ଆଗକୁ ବଢୁଛି ସେତିକି ବ୍ରେକ ଲାଗୁଛି ।