ବଢ଼ୁଛି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁର ରହସ୍ୟ । ପତ୍ନୀଙ୍କ ସହ ସଂପର୍କ ନରଖିବା ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ହୋଇଥିଲା ଏଗ୍ରିମେଣ୍ଟ

790

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଆହୁରି ରହସ୍ୟ ମୟ ହେବାରେ ଲାଗିଛି । ସୌମ୍ୟଙ୍କର ମୃତ୍ୟୁ ଯେମିତି ବି ହେଉନା କାହିଁକି ତାଙ୍କ ପତ୍ନୀଙ୍କ ସହ ତାଙ୍କର ବୈବାହିକ ଠିକ୍ ଠାକ୍ ନଥିଲା, ଏହା ଧିରେ ଧିରେ ସାମନାକୁ ଆସିବାରେ ଲାଗିଛି । ଏପରିକି ବିବାହ କରିଥିଲେ ବି ଫିଲ୍ମର କାହାଣୀ ପରି ଦୁହେଁ ଶାରୀରିକ ସମ୍ପର୍କ ନରଖିବାକୁ ଏଗ୍ରିମେଂଟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ । ଅନ୍ୟପଟେ ଉଚ୍ଚସ୍ତରୀୟ ତଦନ୍ତ ସହ ଡିଏଫଓଙ୍କ ବଦଳି ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବାପା ।

ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାକୁ ଯେତିକି ବିଳମ୍ବ ହେଉଛି, ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ସେତିକି ଗୁମର ଖୋଲୁଛି । ସୌମ୍ୟଙ୍କ ପରିବାରର ଅଭିଯୋଗ ଅନୁସାରେ ମୃତ ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀ ବିବାହ କରିଥିଲେ ସତ, କିନ୍ତୁ ଏହି ବିବାହ କୁଆଡେ ଏକ କଂଟ୍ରାକ୍ଟ ମ୍ୟାରେଜ ଥିଲା । ବର୍ଷକ ପାଇଁ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବୁଝାମଣା । ଶାରୀରିକ ସମ୍ପର୍କ ନରଖିବାକୁ ଏଭଳି ଗୋଟିଏ କ୍ଲଜ୍ ଏଗ୍ରିମେଂଟରେ ରଖାଯାଇଥିଲା । ଯାହା କେବଳ ଫିଲ୍ମରେ ଆପଣ ଦେଖିଥିଲେ । ଯାହାକି ଆମ ସଂସ୍କୃତି ପରମ୍ପରାରେ ଆପଣ କେବେ ଶୁଣିନଥିବେ । ହେଲେ ଏହି ଦୁଇ ଉଚ୍ଚ ଶିକ୍ଷିତ ଦମ୍ପତି ସେମାନଙ୍କ ମଧ୍ୟରେ ବୁଝାମଣା କରିଥିଲେ । ଗୋଟିଏ ଛାତ ତଳେ ରହିଲେ ବି ସେମାନେ ପରସ୍ପରକୁ ସ୍ପର୍ଶ କରୁନଥିଲେ ।

କେବଳ ଏତିକି ନୁହେଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ନଥିଲା । ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳି ଝଗଡା ହେଉଥିଲା । ଏପରିକି ଥରେ ବିଦ୍ୟାଭାରତୀ ଶଂଖା ଚୂଡି ଖୋଲି ଫୋପାଡି ଡିଏଫଓଙ୍କ ଘରକୁ ଚାଲିଯାଇଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଏସବୁକୁ ନେଇ ସୌମ୍ୟ ସବୁବେଳେ ଚାପରେ ରହୁଥିଲେ ।

ପୋଲିସ ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ବି ଏଥିରେ ସନ୍ତୁଷ୍ଟ ନାହାଁନ୍ତି ସୌମ୍ୟଙ୍କ ପରିବାର ଲୋକ । ଡିଏଫଙ୍କୁ ବଦଳି ଦାବି କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପୋଲିସ ଡିଜିପି ଓ ପିସିସିଏଫଙ୍କୁ ଭେଟି ଦାବି କରିଛନ୍ତି ସୌମ୍ୟଙ୍କ ବାପା ।

ପୂରା ମାମଲାରେ ମୂଳରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ସନ୍ଦେହ କରିଆସୁଛନ୍ତି ପରିବାର । ସୌମ୍ୟଙ୍କୁ ଜାଣିଶୁଣି ରାତି ଡ୍ୟୁଟି ଦେବା ସହ ସୌମ୍ୟଙ୍କ ପତ୍ନୀଙ୍କ ସହ ଡିଏଫଓଙ୍କ ସମ୍ପର୍କ ଥିଲା ବୋଲି ସଙ୍ଗୀନ ଅଭିଯୋଗ କରି ଆସୁଛନ୍ତି ।

ତଦନ୍ତ ବେଳେ ଆଉ ଏକ ଦିଗ ଆସିଛି । ସୌମ୍ୟ ଓ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ୱର ନେବା ଆଣିବା ପାଇଁ ଗାଡି ପଠାଉଥିଲେ ଡିଏଫଓ । ଡିଏଫଓ କାହିଁକି ଏତେ ଅନୁକମ୍ପା ଦେଖାଉଥିଲେ ଏହା ପଛର କଣ ରହିଛି ତାକୁ ନେଇ ତଦନ୍ତକାରୀ ଟିମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ସୌମ୍ୟରଞ୍ଜନଙ୍କର ପ୍ରକୃତରେ କେମିତି ମୃତ୍ୟୁ ହେଲା । ସେ ଆତ୍ମହତ୍ୟା କରିଥିଲେ ନାଁ ତାଙ୍କୁ ହତ୍ୟା କରାଯାଇଛି ନା ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।