କୋଟିଆରୁ ଆନ୍ଧ୍ରକୁ ଓଡିଶା ପ୍ରଶାସନର ବାର୍ତ୍ତା । ସବୁ ଗାଁରେ ଉଡାଇଲେ ତ୍ରିରଙ୍ଗା , ମାରିଲେ ଓଡିଆ ଫଳକ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସର୍ବଦଳୀୟ ପ୍ରତିନିଧି ଦଳ ।

204

କନକ ବ୍ୟୁରୋ: କୋଟିଆ ହେଉଛି ଓଡିଶାର । ଏହି ଅଞ୍ଚଳ ଉପରେ କେବଳ ଓଡିଶାର ଅଧିକାର ରହିଛି । ଏଠି ବସବାସ କରୁଥିବା ସମସ୍ତ ଲୋକ କେବଳ ଓଡିଶାର । କୋଟିଆ ଗ୍ରାମପୁଞ୍ଜରେ ୭୫ତମ ସ୍ୱାଧୀନତା ଦିବସ ପାଳନ କରି ଆନ୍ଧ୍ରକୁ ଏପରି ସନ୍ଦେଶ ଦେଇଛି ଓଡିଶା ପ୍ରଶାସନ ।

କୋଟିଆରେ ତେଲୁଗୁ ଫଳକ ଲଗାଇବାକୁ ଆନ୍ଧ୍ର ଚକ୍ରାନ୍ତ କରୁଥିବାବେଳେ, ସୀମାନ୍ତର ସମସ୍ତ ଗାଁରେ ଓଡିଆ ନାମ ଫଳକ ଲଗାଯାଇଛି । ଗାଁ ଗାଁ ବୁଲି ଓଡିଆ ଭାଷା ଓ ଓଡିଆ ପ୍ରୀତି ଦେଖାଇବାକୁ ରାଜ୍ୟ ଉକ୍ରଳ ସମ୍ମିଳନୀର ଏକ ଟିମ୍ ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ ଉଦ୍ୟମ ବି ଜାରି ରଖିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଗାଁରେ ସରକାରୀ ଅଧିକାରୀ ଉପସ୍ଥିତି ରହି ସେମାନଙ୍କୁ ସହଯୋଗ କରୁଛନ୍ତି । ସେପଟେ କୋଟିଆ ବିବାଦର ସମାଧାନ ପାଇଁ କୋରାପୁଟ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତା ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଜଣାପଡିଛି । ଅନ୍ୟପଟେ ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳମର ଶତାଧିକ ଗ୍ରାମବାସୀ ଓଡିଶାରେ ମିଶିବା ପାଇଁ ସୋମବାର ଓଡିଶା ସରକାରଙ୍କୁ ଅନୁରୋଧ କରିବେ ବୋଲି ସୂଚନା ମିଳିଛି ।