ଋଣରେ ବୁଡିଛି ଓଡିଶା ଚାଷୀ: ୯ବର୍ଷରେ ଋଣ ଭାର ବଢ଼ିଲାଣି ଅଢ଼େଇ ଗୁଣ

192

କନକ ବ୍ୟୁରୋ: ଋଣ ଯନ୍ତାରେ ପଡ଼ିଗଲାଣି ଓଡ଼ିଶା ଚାଷୀ । ହେଲେ ତାର ଆୟ ସେଭଳି ବଢ଼ୁନି । ଗତ ୮ ବର୍ଷରେ ଓଡ଼ିଶା ଚାଷୀଙ୍କ ଋଣ ପରିମାଣ ୬.୩୯ ଲକ୍ଷ କୋଟିରୁ ୧୬.୫ ଲକ୍ଷ କୋଟିରେ ପହଁଚିଲାଣି । ହେଲେ ଓଡ଼ିଶା ଚାଷୀର ଆୟ ୬ ବର୍ଷରେ ମାତ୍ର ୩% ବଢ଼ିଛି! ଏଭଳି ଏକ ସ୍ଥିତିରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ଦେଖାଯାଉଛି । ବିଧାନସଭାରେ ଉପସ୍ଥାପିତ କିଛି ତଥ୍ୟରୁ ଏହି ସତ୍ୟ ପଦାକୁ ଆସିଛି ।…

ଆଠ ବର୍ଷ ଭିତରେ ରାଜ୍ୟର ଚାଷୀଙ୍କ ଉପରେ କୃଷି ଋଣ ଭାର ଅଢେଇ ଗୁଣାରୁ ଅଧିକ ବଢି ଯାଇଛି । କିନ୍ତୁ ଚାଷୀର ଆୟ ସେହି ଅନୁପାତରେ ବଢୁନି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ବିଧାନସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ଦେଇଥବା ଉତରରୁ ମିଳିଛି ଏମିତି ତଥ୍ୟ । ୨୦୧୩-୧୪ରେଳ ରାଜ୍ୟର ଚାଷୀମାନଙ୍କ ଉପରେ ଋଣ ଭାର ଥିଲା ୬,୩୯୫.୫୮ କୋଟି ଟଙ୍କା । ଯାହା ୨୦୨୧-୨୨ବେଳକୁ ବଢି ହେଲାଣି ୧୬,୫୬୦.୪୦ କୋଟି ଟଙ୍କା ।

ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୫୪.୩୩ ଲକ୍ଷ ଚାଷୀ ଅଛନ୍ତି । ଏନଏସଏସଓ ସର୍ଭେ ଅନୁସାରେ କିନ୍ତୁ ଓଡିଶା ଚାଷୀଙ୍କ ଆୟ ୨୦୧୨-୧୩ରୁ ୨୦୧୮-୧୯ ଭିତରେ ଅର୍ଥାତ୍ ୬ ବର୍ଷରେ ମାତ୍ର ୩% ବଢ଼ିଛି । କେବଳ ଝାଡ଼ଖଣ୍ଡ ଚାଷୀ ପରିବାରର ମାସିକ ଆୟଠାରୁ ଉପରେ ଅଛନ୍ତି ଓଡ଼ିଶା ଚାଷୀ ।

ଏନଏସଏସଓ ବା ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୨-୧୩ରେ ଓଡ଼ିଶା ଚାଷୀ ପରିବାରର ମାସିକ ହାରାହାରି ଆୟ ୪,୯୭୬ ଟଙ୍କା ଥିବାବେଳେ ୨୦୧୮-୧୯ରେ ଏହା ମାତ୍ର ୫,୧୧୨ଟଙ୍କାରେ ପହଁଚିଛି ।

ଅନ୍ୟପଟରେ ଦେଶରେ ୨୦୧୮ରୁ ୨୦୨୦ ମଧ୍ୟରେ ଅର୍ଥାତ୍ ତିନି ବର୍ଷରେ ୧୭ ହଜାର ଚାଷୀ ଆତ୍ମହତ୍ୟା କରିଥିବା ସ୍ୀକାର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଏନସିଆରବି ତଥ୍ୟ ଅନୁସାରେ ୨୦୧୮ରେ ୫,୭୬୩ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୫,୯୭୫ ଚାଷୀ ଓ ୨୦୨୦ରେ ୫,୫୭୯ ଜଣ ଚାଷୀ ଆତ୍ମହତ୍ୟା କରିଥିବା ହିସାବ କରାଯାଇଛି । ଋଣଭାର ଚାଷୀ ଆତ୍ମହତ୍ୟାର ମୂଳ କାରଣ କୁହାଯାଉଥିବା ବେଳେ,କିନ୍ତୁ ସରକାର ଏହାକୁ ସ୍ୱୀକାର କରିବାକୁ ନାରାଜ ।