ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ଲାଗିଲା ପିଏମ ଆବାସ ହିତାଧିକାରୀଙ୍କ ତାଲିକା। ନାଁ ଅଛି ନାହିଁ ଦେଖିବାକୁ ଲାଗିଲା ଭିଡ। 

278

କନକ ବ୍ୟୁରୋ:  ପଞ୍ଚାୟତ କାନ୍ଥରେ ‘ପ୍ରଧାନମନ୍ତ୍ରୀ ଆବାସ’ ତାଲିକା  । ବଢି଼ଲା ଯୋଗ୍ୟ-ଅଯୋଗ୍ୟ ବିବାଦ । ଅଯୋଗ୍ୟ ଚିହ୍ନଟ ପାଇଁ ଲାଗିବ ଅଭିଯୋଗ ବାକ୍ସ । କୋରାପୁଟ ଆମ୍ବାଗୁଡ଼ାରୁ ଆସିଥିବା ଦୃଶ୍ୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଲାଗିବା ପରେ ଜମିଛି ଭିଡ଼ । କାହାର ନାଁ ରହିଲା, କାହାର କଟିଲା ଜାଣିବା ପାଇଁ ବାସହୀନ ଗରିବ ଲୋକଙ୍କ ଭିତରେ ଥିବା ଉକ୍ରଣ୍ଠା ଏହି ଭିଡରୁ ବାରି ହେଉଛି । ଏହାରି ଭିତରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି – ତାଲିକାରେ ଅଯୋଗ୍ୟ ହିତାଧିକାରୀ ଥିଲେ ଏ ନେଇ ଅଭିଯୋଗ କରା ଯାଇପାରିବ । ଏଥିପାଇଁ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ଓ ଅନଲାଇନ ମାଧ୍ୟମରେ ଅଭିଯୋଗ କରିହେବ ।

ଏଥିସହିତ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ଏହିଭଳି ଅଭିଯୋଗ ବାକ୍ସ ରହିବ । ତେଣୁ ଦଳୀୟ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ହେଉଥିବା ନେଇ ଯେଉଁ ଅଭିଯୋଗ ରହିଛି, ସେଥିରେ ସ୍ୱଚ୍ଛତା ଆସିପାରିବ ବୋଲି କୁହାଯାଉଛି । ତେବେ ବିଜେପିର କହିବା ହେଲା ଅଭିଯୋଗକାରୀଙ୍କ ତଥ୍ୟ ଗୋପନ ରଖାଯାଉ, ନହେଲେ ଗାଁ-ଗାଁରେ ଗଣ୍ଡଗୋଳ ହେବ ।

ଘରେ ନପଶୁଣୁ ଚାଳ ବାଜିବା ଭଳି ପଞ୍ଚାୟତ କାନ୍ଥରେ ପିଏମ ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ଲାଗିବା ପରେ ଅସନ୍ତୋଷ ଦେଖାଦେଇଛି । ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇବାକୁ ଅପେକ୍ଷା କରିଥିବା ଲୋକଙ୍କ ନାଁ ତାଲିକାରେ ନାହିଁ । ଅବସ୍ୟ ଅଭିଯୋଗ ପରେ ଗ୍ରାମସଭା କରି ଯୋଗ୍ୟ ହିତାଧିକାରୀ ଚୟନ କରିବାକୁ ନିର୍ଦ୍ଦେଶ ରହିଛି । ହେଲେ କୋରାପୁଟ ଆମ୍ବାଗୁଡାରେ ଅସନ୍ତୁଷ୍ଟ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଚଳାଇ ନଦେବାକୁ ଚେତାବନୀ ଦେଇଛନ୍ତି ।

ହିତାଧିକାରୀଙ୍କ ଘର ଆଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ରହିବ । କିନ୍ତୁ ବିଜୁ ପକ୍କାଘରର ଲୋଗୋ ରହିବ କି ନାହିଁ, ତାହା ସ୍ପଷ୍ଟ କରିନାହାନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ  । ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି  ।

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ଦିନରୁ ଲୋଗୋ ଏବଂ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀକୁ ନେଇ ରାଜନୈତିକ ବିବାଦ ରହିଆସିଛି । ଆଗକୁ ନିର୍ବାଚନୀ ବର୍ଷ ଥିବାରୁ ବାସହୀନ ଗରିବ ହିତାଧିକାରୀଙ୍କୁ ଘର ଖଣ୍ଡିଏ କରିବାକୁ ସରକାରୀ ସହାୟତା କିଏ ଦେଉଛି, ତାକୁ ନେଇ ରାଜନୀତି ଆହୁରି ଜୋରଦାର ହେବାର ସଙ୍କେତ ମିଳୁଛି ।,