ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । କହିଲେ ସାଂସଦଙ୍କ ମନ୍ତବ୍ୟ କଟା ଘାରେ ଚୂନ ଦେବା ଭଳି ।

148

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ । ସାଂସଦ ବିମାନବନ୍ଦରରୁ ଆସି ସିଧା ପ୍ରେସମିଟରେ ଉତର ରଖିବାକୁ ନିନ୍ଦା କରିଛି ସେବାୟତ ସଂଘ । ଏକାମ୍ର କ୍ଷେତ୍ରକୁ ନେଇ ପ୍ରସ୍ତାବିତ ବାଇ ଲ ଫଳରେ ସେବାୟତ ଓ ସ୍ଥାନୀୟ ବାସିନ୍ଦା କିଭଳି ପ୍ରଭାବିତ ହେବେ ସେନେଇ ପ୍ରଥମେ ଆଲୋଚନା କରିବାର ଥିଲା ବୋଲି ସେମାନେ କହିଛନ୍ତି । ଲୋକପ୍ରତିନିଧି ଭାବରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସାଂସଦଙ୍କ ଦାୟିତ୍ୱହୀନ ମନ୍ତବ୍ୟ ପୁରୁଣା ଭୁବନେଶ୍ୱରବାସୀଙ୍କୁ ମର୍ମାହତ କରିଛି ବୋଲି ଏକ ବିବୃତିରେ କୁହାଯାଇଛି ।

ଏପିରିକି ଯେଉଁମାନେ ତାଙ୍କୁ ନିର୍ବାଚିତ କରିଛନ୍ତି, ସେମାନଙ୍କୁ ବିଶ୍ୱାସକୁ ନନେଇ ଅସୁବିଧା ସମୟରେ ହାଲୁକା ମନ୍ତବ୍ୟ ରଖିବା ସେମାନଙ୍କ ପ୍ରତି ଧୋକା ବୋଲି ଏଥିରେ କୁହାଯାଇଛି । ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ଯଦି ବାଇ ଲରେ ଭୁଲଥିବା ଅନୁଭବ କରି ପ୍ରତ୍ୟାହାର ହେଲା, ତାହାହେଲେ ଭୁବନେଶ୍ୱର କ୍ଷେତ୍ରରେ ଏହା କାହିଁକି ପ୍ରତ୍ୟାହାର ହୋଇପାରିବ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ସେପଟେ ଆଜି ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଥିଲେ, କେତେକ ନିର୍ଦ୍ଦିଷ୍ଟ ବିଷୟ ନେଇ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳର ନେତୃବୃନ୍ଦ ନିୟମିତ ଭାବେ ଜନସାଧାରଣଙ୍କୁ ଭ୍ରମିତ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଥିଲେ ଅପରାଜିତା ।

-ଏ ପର୍ଯ୍ୟନ୍ତ ପୁରାତନ କୀର୍ତିରାଜି ଏବଂ ଐତିହ୍ୟରେ ଭରପୁର ହୋଇଥିବା ଅଂଚଳରେ ହୋଇଥିବା ସମସ୍ତ ଉଚ୍ଛେଦ ପ୍ରକ୍ରିୟାରେ ପ୍ରତ୍ନତତ୍ୱ ବିଭାଗକୁ କାହିଁକି ସାମିଲ କରାଯାଇନାହିଁ ?

-ପ୍ରତ୍ମତତ୍ୱ ବିଭାଗର ମହାନିର୍ଦ୍ଦେଶକ ଗତ ୨୨ ଡିସେମ୍ବର ୨୦୧୯ରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବିଷୟରେ ଅବଗତ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କାହିଁକି ଏହା ଅବଗତ କରାଯାଇନାହିଁ ।

-ରାଜ୍ୟ ସରକାର ଏନଏମଏ ବାଇ-ଲରେ କୌଣସି ପରାମର୍ଶ କିମ୍ବା ଅବଜେକସନ ପରିବର୍ତେ ଏହି ବାଇ-ଲର ପ୍ରତ୍ୟାହାର ବା ଉଚ୍ଛେଦ ପାଇଁ ଦାବି ଉପସ୍ଥାପନା କରିବା ଅପରିପକ୍ୱତା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇପାରେ ।

-ରାଜ୍ୟ ସରକାର ସ୍ପଷ୍ଟ କରିବେ କି କେଉଁ ଆର୍କେଓଲଜିକାଲ ଫାର୍ମ ଜଗନ୍ନାଥ ମନ୍ଦିର, ପୁରୀ ଏବଂ ଲିଙ୍ଗରାଜ ମନ୍ଦିରର ବିକାଶର ରୁପରେଖ ପ୍ରସ୍ତୁତ କରୁଛନ୍ତି ।

-ଉତର ପାଶ୍ୱର୍ ମଠ, ଦକ୍ଷିଣ ପାଶ୍ୱର୍ ମଠ, ଏମାର ମଠ, ରଘୁନାଥ ଲାଇବ୍ରେରୀ ପରି କୀର୍ତିରାଜିକୁ ସମୁଳେ ଉତ୍ପାଟନ କରିବା ପୂର୍ବରୁ କଣ ରାଜ୍ୟ ସରକାର ଏହାର ଡିଟେଲ ମ୍ୟାପିଂ କରିଥିଲେ କି । ଏହି କୀର୍ତିରାଜି ଉତ୍ପାଟନ କରିବା ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଅନ୍ତର୍ଗତ ସମସ୍ତ ନୀତି ନିୟମ ସରକାର ଅନୁସରଣ କରିଛନ୍ତି କି?