ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ । ଦୌଡ଼ ପ୍ରତିଯୋଗିତାରେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ ।

167

କନକ ବ୍ୟୁରୋ: ଇଚ୍ଛା ଥିଲା ସୈନିକ ହେବେ ଦେଶ ମାତୃକାର ସେବା କରିବେ । କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ସୈନିକ ପାଇଁ ମନୋନୀତ ହୋଇପାରିନଥିଲେ । ଶେଷରେ ପୋଲିସ ହେବାକୁ ମନ ବଳାଇଥିଲେ । କିନ୍ତୁ ତାହା ମଧ୍ୟ ଅଧୁରା ରହିଗଲା । ଆଉ ପୋଲିସ ହେବା ପାଇଁ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଚାଲିଗଲା ଜୀବନ ।

ଓଡ଼ିଶା ପୋଲିସ କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ । ଶାରୀରିକ ପରୀକ୍ଷା ବେଳେ ଚାଲିଗଲା ଜୀବନ । ଗଂଜାମ ଜିଲ୍ଲା ଛତ୍ରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛତ୍ରପୁର ରିଜର୍ଭ ପୋଲିସ ପଡିଆ ଠାରେ ୧୬୦୦ ମିଟର ଦୌଡିବା ସମୟରେ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗାଁର ଦିପ୍ତିରଞ୍ଜନ ଦାସ ହଠାତ୍ ଅଚେତ ହୋଇପଡ଼ି ମୃତ୍ୟୁବରଣ କରିଛନ୍ତି । ଦୀପ୍ତିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା । ତେବେ ବ୍ରହ୍ମପୁର ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୀର୍ଘ ବର୍ଷ ହେଲା ଏହି ଚାକିରି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ଦେଇଆସୁଥିଲେ ଦୀପ୍ତି । ୩ ବର୍ଷ ତଳେ ଡାକ ବିଭାଗରେ ପୋଷ୍ଟ ମାଷ୍ଟର ଭାବେ ନିଯୁକ୍ତି ପାଇଥିଲେ । ହେଲେ ପିଲାଦିନୁ ପୋଲିସ କିମ୍ବା ସୈନିକ ହେବାର ସ୍ୱପ୍ନ ତାଙ୍କୁ ଏହି ପରୀକ୍ଷା ଦେବା ପାଇଁ ବାଧ୍ୟ କରିଥିଲା । ଚଳିତ ବର୍ଷ କନଷ୍ଟେବଳ ଚାକିରି ପାଇଁ ସେ ଆବେଦନ କରିଥିଲେ । ଲିଖିତ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖିଥିଲେ । ହେଲେ ଶାରୀରିକ ପରୀକ୍ଷା ସମୟରେ ଘଟିଥିଲା ଏଭଳି ଅଘଟଣ । ଯାହା ସାରା ଗାଁ ଓ ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଦୀପ୍ତିଙ୍କୁ ହରାଇ କାନ୍ଦୁଛି ପୁରା ଗାଁ ଓ ସାଙ୍ଗ ସାଥୀ । ତେବେ ଅସମୟରେ ଦୀପ୍ତିଙ୍କ ମୃତ୍ୟୁ ଖବର ସାଙ୍ଗ, ସାଥୀ, ସାହି, ପଡ଼ିଶା ଲୋକଙ୍କୁ ଅବିଶ୍ୱାସ ଲାଗୁଛି । କେହି ସହଜରେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାଁନ୍ତି । ସେପଟେ ଭେଣ୍ଡିଆ ପୁଅକୁ ବାହୁନି ବାହୁନି କାନ୍ଦୁଛି ମା’ ।