ଶୁଖୁଆ ଖଳାରେ ମତ୍ସ୍ୟଜୀବୀଙ୍କ ଜୀବନ । ଶୁଖୁଆ ପ୍ରସ୍ତୁତ କରି ପେଟ ପୋଶୁଛନ୍ତି ଚାନ୍ଦବାଲିର ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ପରିବାର ।

192

କନକ ବ୍ୟୁରୋ : ଶୁଖୁଆ ଖଳାରେ ମତ୍ସ୍ୟଜୀବୀଙ୍କ ଜୀବନ । ଭଦ୍ରକ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ସୁମୁଦ୍ର କୂଳର ଏହି ସ୍ଥାନରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ ବ୍ୟବସାୟ କରାଯାଏ । ତେବେ ଏଠାରେ ଶୁଖୁଆ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଗଲେ ଆନ୍ତର୍ଜାତୀୟ ସ୍ତରରେ ଚାନ୍ଦବାଲି ଧାମରା ଶୁଖୁଆ ପ୍ରସିଦ୍ଧି ଲାଭ କରି ପାରନ୍ତା ବୋଲି ମତ ଦିଅନ୍ତି ମତ୍ସ୍ୟଜୀବୀ ।

ଭଦ୍ରକ ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସୁମୁଦ୍ର କୂଳର ଏହି ଦୃଶ୍ୟ, ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା । ଶୁଖୁଆ ପ୍ରସ୍ତୁତରେ ଲାଗିଛନ୍ତି ମତ୍ସ୍ୟଜୀବୀ । କାରଣ ଏହାକୁ ବିକିଲେ ପରିବାରର ପେଟକୁ ଦାନା ମିଳିବ । ଚାନ୍ଦବାଲି ବ୍ଳକ ଧାମରା, ଦୋସିଙ୍ଗା, କରଞ୍ଜମାଳ, କୋଇଥକୋଲା, ବାଂଶଡ଼ା, ଯାଗୁଳା, କରଣପଲ୍ଲୀ ପଂଚୁଟୀକ୍ରୀ ଏବଂ ଚଡ଼ଦିଆ ପଂଚାୟତର ପ୍ରାୟ ୫ ହଜାରରୁ ଅଧିକ ମତ୍ସ୍ୟଜୀବୀ ଏହିଭଳି ଭାବରେ ଶୁଖୁଆ ପ୍ରସ୍ତୁତ କରିଥାନ୍ତି ।

ଧାମରା ମୁହାଣ ଚାନ୍ଦୀନପାଳ ସମୁଦ୍ର କୂଳର ପ୍ରାୟ ୧୫ ଏକର ପଠାକୁ ଲିପାପୋଛା କରି ଶୁଖୁଆ ଖଳା ପ୍ରସ୍ତୁତ କରାଯାଏ । ଗଭୀର ସୁମୁଦ୍ରରୁ ଧରା ହେଉଥିବା ମାଛକୁ ଶୁଖାଇ ସୁଖୁଆ ପ୍ରସ୍ତୁତ କରାଯାଏ । ଦୈନିକ ୧୫ଶହରୁ ଅଧିକ ଶ୍ରମିକ ଶୁଖୁଆ ପ୍ରସ୍ତୁତ କରି ଟ୍ରକ୍ ଯୋଗେ ରାଜ୍ୟ ସମେତ ରାଜ୍ୟ ବାହାର ଓ ବିଦେଶକୁ ରପ୍ତନୀ କରିଥାନ୍ତି ।

ଚାଆଁରା, ଓଳେଇ, ଗୋଗୁଆ. ଫାସି, ଚିଙ୍ଗୁଡ଼ି ଆଦି ଶୁଖୁଆକୁ ତ୍ରୀପୁରା, ସିଲଗୁଡ଼ି, ତାମିଲନାଡ଼ୁ, ବାଙ୍ଗାଲୁରୁ ଆଦି ରାଜ୍ୟକୁ ଚାଲାଣ କରାଯାଏ । ବାଂଲାଦେଶକୁ ବି ଯାଇଥାଏ ଧାମରା ଶୁଖୁଆ । ହେଲେ ଅନେକ ସମୟରେ ବର୍ଷା, ବାତ୍ୟା ଏବଂ ସମୁଦ୍ରର ଲୁଣା ଜୁଆର ମାଡ଼ିଯିବାରୁ ହଜାର ହଜାର ଟଙ୍କାର ଶୁଖୁଆ ନଷ୍ଟ ହୋଇଯାଏ । କେବଳ ପ୍ରକୃତିକ ଦୁର୍ବିପାକ ନୁହେଁ ଶୁଖୁଆ ସୁଖାଇବା ପାଇଁ ଭଲ ଚଟାଣ ନଥିବାରୁ ବାଲି ମାଟିରେ ଶୁଖାଇବାରୁ ଶୁଖୁଆର ରଙ୍ଗ ଖରାପ ହୋଇଯାଏ । ତେଣୁ ଚାନ୍ଦବାଲିରେ ଶୁଖୁଆ ପ୍ରସ୍ତୁତ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଗଲେ ଦେଶ-ବିଦେଶରେ ଚାନ୍ଦବାଲି-ଧାମରା ଶୁଖୁଆ ପ୍ରସିଦ୍ଧି ଲାଭ କରିପାରନ୍ତା ବୋଲି କୁହନ୍ତି ମତ୍ସ୍ୟଜୀବୀ ।

ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ ଚାନ୍ଦବାଲିରେ ଅନୁଷ୍ଠିତ ଯୋଜନା ବୋର୍ଡ଼ କମିଟି ମିଟିଂରେ ଧାମରାରେ ଶୁଖୁଆ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ।