ସଶକ୍ତ ହେଉଛି ଭାରତୀୟ ସେନା। ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ହେଲିକପ୍ଟର ରୋମିଓ। 

102

କନକ ବ୍ୟୁରୋ: ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରାଇବ ‘ରୋମିଓ’ ହେଲିକପ୍ଟର । ଭାରତୀୟ ସେନାରେ ସାମିଲ ହୋଇଛି ଦୁଇଟି ରୋମିଓ ହେଲିକପ୍ଟର । ଗୁରୁବାର ଆମେରିକାରୁ ଏହି ଦୁଇଟି ଏମଏଚ୍-୬୦ ରୋମିଓ ମଲଟି ପର୍ପଜ ହେଲିକପ୍ଟର ମିଳିଛି । ନୌସେନା ତା’ର ସାମଗ୍ରିକ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ହେଲିକପ୍ଟର କିଣିଛି । ଏହାକୁ ମିଶାଇ ନୌସେନାକୁ ମିଳିଥିବା ହେଲିକପ୍ଟର ସଂଖ୍ୟା ୫ରେ ପହଞ୍ଚିଛି । ରୋମିଓ ହେଲିକପ୍ଟରକୁ ସର୍ଭେଲାନ୍ସ, ଗୁଇନ୍ଦାଗିରି, ଭିଆଇପି ଗତିବିଧି, ଆକ୍ରମଣ, ବୁଡ଼ାଜାହାଜ ସନ୍ଧାନ କରିବା ଏବଂ ଏହାକୁ ନଷ୍ଟ କରିବା ଆଦି କାମରେ ବ୍ୟବହାର କରାଯିବ ।

ରୋମିଓ ହେଲିକପ୍ଟରରେ ଏକାଧିକ ସେନ୍ସର ଓ ରାଡାର ଲାଗିଛି, ଯାହା ଶତ୍ରୁର ସୂଚନା ଦେବାରେ ସହାୟତା କରିବ । ଏଥିରେ ଉଡ଼ାଣ ପାଇଁ ୩ରୁ ୪ ଜଣ କ୍ରୁ ମେମ୍ବରର ଆବଶ୍ୟକତା ରହିଛି । ଏହାବ୍ୟତୀତ ଏଥିରେ ଅତିରିକ୍ତ ୫ ଜଣ ବସିପାରିବେ । ସମସ୍ତ ଅସ୍ତ୍ରଶସ୍ତ୍ର, ଉପକରଣ ଓ ସୈନିକଙ୍କ ସହ ଏହାର ସର୍ବାଧିକ ଟେକଅଫ୍ ଓଜନ ୧୦ହଜାର ୪୩୩ କିଲୋଗ୍ରାମ ରହିଛି । ଏହାର ଲମ୍ବ ୬୪ ଦଶମିକ ୮ ଫୁଟ୍ ଏବଂ ଉଚ୍ଚତା ୧୭ ଦଶମିକ ୨୩ ଫୁଟ୍ ରହିଛି । ଏହି ହେଲିକପ୍ଟରର ବିଶେଷତ୍ୱ ହେଉଛି, ଏହାକୁ କୌଣସି ପାଗରେ ବ୍ୟବହାର କରାଯାଇପାରିବ । ୨୦୨୫ ସୁଦ୍ଧା ଏଭଳି ୨୪ଟି ହେଲିକପ୍ଟର ଭାରତ ପାଖରେ ପହଞ୍ଚିବ ।