ରାତିପାହିଲେ ନିର୍ବାଚନ । ଭୋଟ୍ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ ।

198

କନକ ବ୍ୟୁରୋ : ରାତି ପାହିଲେ ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଦେଶ କରିବ ନିର୍ବାଚନ । ଏହା ଆଗରୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ବେଆଇନ ନିର୍ବାଚନ ବନ୍ଦ କରିବାକୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କର ପ୍ରତିପକ୍ଷ ବିଜୟନଗରମ୍ ଜିଲ୍ଲାପାଳ ଏମ୍ ହରି ଜବାହରଲାଲଙ୍କ ନିକଟକୁ ଚିଠି ଲେଖି, ନିର୍ବାଚନରୁ ବିରତ ରହିବା ପାଇଁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଆନ୍ଧ୍ର ସରକାର ଏ ନେଇ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି । ଏପରିକି ବେଆଇନ୍ ଭାବେ ଆନ୍ଧ୍ର ନିର୍ବାଚନ କଲେ ପରିଣାମର ସମ୍ମୁଖୀନ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଛନ୍ତି । ଏହି ପରିପେକ୍ଷୀରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ କୋଟିଆ ଗ୍ରାମପଂଚାୟତରେ ଆନ୍ଧ୍ର କରୁଥିବା ଭୋଟ୍ ବନ୍ଦ ରଖୁ । ସେପଟେ ଆଜି ସୁପ୍ରିମକୋର୍ଟରେ ଓଡିଶାର ସୀମାବର୍ତି ଗାଁକୁ ନିଜ ଅଂଚଳ ବୋଲି କହିଛନ୍ତି ଆନ୍ଧ୍ର ସରକାର ।

ଏହାର ତଥ୍ୟ ଓ ପ୍ରମାଣ ଥିବା ଖଣ୍ଡପୀଠ ଆଗରେ ଦାବି କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ ଓକିଲ । ପୂର୍ବରୁ ଆନ୍ଧ୍ର-ଓଡିଶା ସୀମାରେ ସ୍ଥିତାବସ୍ଥା ବଜାୟ ରଖିବା କୋର୍ଟ ରାୟ ଦେଇଥିବା ବେଳେ ଏହାକୁ ଉଲ୍ଲଂଘନ କରି ଆନ୍ଧ୍ର ଏବେ ଓଡିଶା ଗାଁରେ ନିର୍ବାଚନ କରୁଛି । ଏହାକୁ ନେଇ ଅଦାଲତ ଅବମାନନା ମାମଲା ସୁପ୍ରିମକୋର୍ଟରେ ରୁଜୁ କରିଛନ୍ତି ଓଡିଶା ସରକାର । ଏହି ମାମଲାର ପରବର୍ତି ଶୁଣାଣି ଆସନ୍ତା ଶୁକ୍ରବାର ଧାର୍ଯ୍ୟ ହୋଇଥିବା ବେଳେ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ଖଣ୍ଡପୀଠ ।