ଦୁଇ ଦିନ ପରେ ଖଣ୍ଡଗିରି ମେଳା । ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା, ହେଲେ ବିଏମସି କୋଭିଡ କଟକଣାକୁ ନେଇ ଉଠିଲା ପ୍ରଶ୍ନ ।

91

କନକ ବ୍ୟୁରୋ: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା । ଦୁଇ ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ । ହେଲେ ଖଣ୍ଡଗିରି ଯାତ୍ରାକୁ ନେଇ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରାଜ୍ୟ ସରକାର ନଭେମ୍ବର ମାସରୁ କୋଭିଡ୍ କଟକଣା ହଟାଇଛନ୍ତି । ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଆଦି ନିୟମ ହଟିଛି । ହେଲେ ବିଏମସି ପକ୍ଷରୁ ଜାରି କରାଯାଇଥିବା ଏସଓପିରେ କୁହାଯାଇଛି ଯେ, ଯାତ୍ରା ପେଣ୍ଡାଲରେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ବିନା ମାସ୍କରେ ଯାତ୍ରାକୁ ବାରଣ କରାଯାଇଛି ।

ଆୟୋଜକ କମିଟିର ସମସ୍ତ ଅଫିସର, ସଦସ୍ୟ ଓ ସ୍ୱେଚ୍ଛସେବୀ ସଂପୂର୍ଣ୍ଣ କୋଭିଡ୍ ଟିକା ନେଇଥିବେ । ପ୍ରତି ଯାତ୍ରା ପେଣ୍ଡାଲର ପ୍ରବେଶ ପଥରେ ଆୟୋଜକ କମିଟି ପକ୍ଷରୁ ଦର୍ଶକଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯିବ । ଏହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ରାଜଧାନୀରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହୋଇଛି । ହକି ଖେଳରେ ୨୦ ହଜାରରୁ ଅଧିକ ଏକାଠି ଲୋକ ବସି ମ୍ୟାଚ୍ ଦେଖୁଛନ୍ତି । ଭୁବନେଶ୍ୱର ଡଟ୍ ଫେଷ୍ଟରେ ଏକାଠି ହେଉଥିଲେ ହଜାର ହଜାର ଲୋକ । ଏଠାରେ କେହି ମାସ୍କ ପିନ୍ଧୁନଥିଲେ କି ସାମାଜିକ ଦୂରତା ମଧ୍ୟ ନଥିଲା । କେବଳ ଏତିକି ନୁହେଁ ରବିବାର ପଥୋତ୍ସବରେ ମଧ୍ୟ ଅନେକ ଲୋକ ଏକାଠି ହେଉଥିଲେ । ହେଲେ ଏବେ ଖଣ୍ଡଗିରି ମେଳା ପାଇଁ କଟକଣା କାହିଁକି ବୋଲି ପ୍ରଶ୍ନ ଉଠିଛି । ବିଏମସି କ’ଣ ରାଜ୍ୟ ସରକାରଙ୍କ ବାହାରେ ନିଷ୍ପତି ନେଉଛି କି? ରାଜ୍ୟର ଏବେ କେଉଁ ସ୍ଥାନରେ ବି କୋଭିଡ୍ କଟକଣା ନଥିଲେ ମଧ୍ୟ ବିଏମସି ପକ୍ଷରୁ ଏପରି କଟକଣା ଲଗାଗଲା କାହିଁକି?