କୋର୍ଟ ଛାଡ଼ି ଗାଁରେ ପହଁଞ୍ଚିଲେ ବିଚାରପତି । ୪ ଶିଶୁଙ୍କ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରାପଡ଼ା ଜିଲ୍ଲା ଜଜ

558

କନକ ବ୍ୟୁରୋ : ସମସ୍ୟାର ସମାଧାନ ପାଇଁ ସମସ୍ତେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି । ଆଉ କୋର୍ଟରେ ବିଚାରପତି ସବୁ ସମସ୍ୟାର ଶୁଣାଣି କରିଥାନ୍ତି । କିନ୍ତୁ କେବେ ଆପଣ ଶୁଣିଛନ୍ତି ଯେ ଖୋଦ୍ ବିଚାରପତିଙ୍କୁ କୋର୍ଟ ବାହାରେ ମାମଲାର ଶୁଣାଣି ବା କୌଣସି ସମସ୍ୟାର ସମାଧାନ କରିବା କଥା । ବାସ୍ତବରେ ଏମିତି କିଛି ଘଟିଛି କେନ୍ଦ୍ରାପଡ଼ାରେ । ଖୋଦ୍ ବିଚାରପତି ଗାଁରେ ପହଞ୍ଚି ସମସ୍ୟା କଥା ବୁଝିଛନ୍ତି । ଘଟଣାଟି ବେଶ୍ ସମ୍ବେଦନଶୀଳ । ରାଜନଗର ଜିଲ୍ଲା ଚାରିପୋଖରିଆ ଗାଁର ଅମର ବାରିକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ତାଙ୍କର ଚାରି ପିଲାଙ୍କୁ ଛାଡ଼ି କୁଆଡ଼େ ପଳାଇଲେ । ବାପାଙ୍କ ମୃତ୍ୟୁ ଏବଂ ମା’ କୁଆଡ଼େ ଚାଲିଯିବା ପରେ ସେହି ୪ ଶିଶୁ ଏବେ କେମିତି ବଂଚିବେ, ତାକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା ।

ଏହି ଦୁଃଖଦ ଖବର କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଆଉ ତୁରନ୍ତ ପରିବାର କେମିତି ସହାୟତା ପାଇବେ, ସେଥିପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ଜଜ୍ ସୁମିତ୍ରା ସାହୁଙ୍କୁ ଚାରିପୋଖରିଆ ଗାଁକୁ ପଠାଇଥିଲେ । ଜଜ୍ ସୁମିତ୍ରା ଗାଁରେ ପହଂଚି ପ୍ରତିଟି ସମସ୍ୟା ପଚାରି ବୁଝିଥିଲେ । ୪ ଶିଶୁଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜଜ୍ । ଶିଶୁଙ୍କ ପରିବାରକୁ ତୁରନ୍ତ ଭୂମିହୀନ ଜାଗା ଓ ଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଜ୍ । ଏହାସହ ସେହି ସ୍ଥାନରେ ଶିଶୁମାନଙ୍କ ପାଇଁ ବ୍ୟାଙ୍କରେ ଆକାଉଂଟ ମଧ୍ୟ ଖୋଲାଯାଇଛି । ବୋଧହୁଏ ପ୍ରଥମଥର ଜଣେ ଜିଲ୍ଲା ଜଜ୍ ନିଜ ଆସନ ଛାଡ଼ି କୌଣସି ସମସ୍ୟାର ସମାଧାନ କରିବା ପାଇଁ ଗାଁରେ ପହଂଚିଛନ୍ତି । ଜଜଙ୍କ ଏହି ମହତ କାମକୁ ଖୁବ୍ ପ୍ରଶଂସା କରାଯାଇଛି ।