ପୂଜା ବଜାର ଉପରେ ପଡିଛି ଅନଲାଇନ୍ ସପିଂ ପ୍ରଭାବ । ଘରେ ରହି ମୋବାଇଲରେ ସାମଗ୍ରୀ କିଣୁଛନ୍ତି ଗ୍ରାହକ, ଆସୁନାହାନ୍ତି ବଜାର ।

73

କନକ ବ୍ୟୁରୋ: କାଳୀପୂଜା ଓ ଦୀପାବଳି ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା । କିନ୍ତୁ ପୂଜା ପୂର୍ବରୁ ଆଉ ବଜାରରେ ସେମିତି ଭିଡ ଦେଖିବାକୁ ମିଳୁନାହିଁ । ଗ୍ରାହକ ଦୋକାନକୁ ନଆସି ଅନଲାଇନରେ ବିଭିନ୍ନ ସାଇଟରୁ ସାମଗ୍ରୀ କିଣି ନେଉଛନ୍ତି । ଅନଲାଇନ୍ ମାର୍କେଟିଂ ଯୋଗୁଁ ଫିକା ପଡିଛି ବ୍ୟବସାୟ । ଖାଁ ଖାଁ ପଡିଛି ଯାଜପୁର ଜିଲ୍ଲାର ପୂଜା ବଜାର ।

ପର୍ବ ପର୍ବାଣୀ ପୂର୍ବରୁ ବଜାରରେ ଗ୍ରାହକଙ୍କ ଭିଡ ଜମେ । ନୂଆ ଡ୍ରେସ ସହ ବିଭିନ୍ନ ସାମଗ୍ରୀ କିଣା ବିକା ହୁଏ । ପୂଜାରେ ରୋଜଗାରର ଆଶା ରଖି ଦୋକାନୀ ଲୋଭନୀୟ ଅଫର ଦିଅନ୍ତି ଏବଂ ଗ୍ରାହକ ମଧ୍ୟ ଅଫର ପାଇଁ ସାମଗ୍ରୀ କିଣି ନିଅନ୍ତି । ହେଲେ ଏବେ ବଜାରରେ ଗ୍ରାହକଙ୍କ ସେଭଳି ଭିଡ ଦେଖିବାକୁ ମିଳୁନାହିଁ । କି ରୋଜଗାର ହେଉନାହିଁ । କାରଣ କିଣାକିଣି କରିବା ପାଇଁ ପିଲାଠୁ ବୟସ୍କ ସମସ୍ତେ ଅନଲାଇନ୍ ମାର୍କେଟିଂ ମୁହାଁ ।

ଅନଲାଇନ୍ ସଂପି ସାଇଟରେ ଆକର୍ଷଣୀୟ ଅଫର ସାଙ୍ଗକୁ ମନପସନ୍ଦ ଜିନିଷ ମିଳିଯାଉଛି । ପୋଷାକ ଠାରୁ ଆରମ୍ଭ କରି ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଉପକରଣ ଓ ଘରକରଣା ସାମଗ୍ରୀ ଇତ୍ୟାଦି ସବୁ କିଛି ଅନଲାଇନ୍ ବଜାରରେ ମିଳୁଛି । ତେଣୁ ଅନଲାଇନ୍ କାରବାର ବଢୁଛି, ଅଫଲାଇନ୍ କାରବାର ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାରେ ପୂଜା ବଜାର ଫିକା ପଡିଥିବା ବ୍ୟବସାୟୀ ଚିନ୍ତାରେ ପଡିଯାଇଛନ୍ତି ।

କରୋନା କଟକଣା ଭିତରେ ବଜାର ଖୋଲିଛି । କିନ୍ତୁ ମାନ୍ଦା ପଡ଼ିଛି ପୋଷାକ, ମୋବାଇଲ, ଇଲେକ୍ଟ୍ରୋନିକ ଉପକରଣ, ଗ୍ରୋସରୀ ଓ ଘରକରଣା ସାମଗ୍ରୀ ଇତ୍ୟାଦିର ବ୍ୟବସାୟ । କିନ୍ତୁ ବେପାର ନାହିଁ । ସମୟ ସହ ତାଳ ଦେଇ ଦିନକୁ ଦିନ ଅନଲାଇନ କାରବାର ବୃଦ୍ଧି ପାଉଥିବା ବେଳେ ଭୁଷୁଡିବାକୁ ବସିଛି ଅଫଲାଇନ୍ ବ୍ୟବସାୟ ।