ବାଲେଶ୍ୱର ବାହାନଗା ଉପକୂଳରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ୟାସ୍ । ୧୩୦ କିଲୋମିଟର ବେଗରେ ବହିଲା ପବନ, ୨୪ କିଲୋମିଟର ବେଗରେ କଲା ଉପକୂଳ ଅତିକ୍ରମ ।

372

କନକ ବ୍ୟୁରୋ : ବାତ୍ୟା ୟାସକୁ ନେଇ ଯେଉଁ ଆକଳନ କରାଯାଉଥିଲା ଏବଂ ବଡ଼ ଆକାରରେ ଉପକୂଳକୁ ମାଡ଼ କରିବ ବୋଲି କୁହାଯାଉଥିଲା, ପ୍ରକୃତରେ ଗତକାଲି ଦ୍ୱିପହର ଠାରୁ ଏହା ନିଜର ରୂପରେ ପରିବର୍ତନ କରିଥିଲା । ଏବଂ କାଲିଠାରୁ ଭାରତୀୟ ପାଣିପାଗ ବିଭାଗ କହୁଥିଲା, ୧୬୫ କିମ୍ବା ୧୭୦ ନୁହେଁ ଏହା ୧୩୦ କିଲୋମିଟର ବେଗରେ ପବନ ଆଣିବ ଏବଂ ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ମାଡ଼ କରିବ । ଆଜି ସକାଳ ସାଢ଼େ ୧୦ଟାରେ ବାଲେଶ୍ୱରରୁ ଦକ୍ଷିଣରୁ ୨୦ କିଲୋମିଟର ଦୂର ବାହାନଗା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା । ପ୍ରାୟ ୨୪ କିଲୋମିଟର ପ୍ରତି ଘଂଟା ବେଗରେ ଏହା ଉପକୂଳ ଅତିକ୍ରମ କରିଯାଇଥିଲା । ସମୁଦ୍ର ଜୁଆର ୨ରୁ ୪ ମିଟର ଯାଏଁ ଉଠିଯାଇଥିଲା । କିନ୍ତୁ ପ୍ରଭାବ ପଡ଼ିଥିଲା ବର୍ଷା କ୍ଷେତ୍ରରେ । ବର୍ଷା ଅଧିକ ଥିଲା, ପବନ କମ୍ ଥିଲା ।

ସମୟ ପ୍ରାୟ ସକାଳ ୯ଟା । ରେମୁଣା-ବାହାନଗା ଉପକୂଳ । ବାଲେଶ୍ୱରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର ଦୂରରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଉପକୂଳ ଛୁଇଁଛି ୟାସ୍ । ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ ବାତ୍ୟା ମାଡ଼ ହେବା ନେଇ ପୂର୍ବରୁ ଆକଳନ କରିଥିଲା ପାଣିପାଗ ବିଭାଗ । ହେଲେ ଶେଷ ମୁହୂର୍ତରେ ଚକମା ଦେଇଥିଲା ବାତ୍ୟା । ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଧାମରା ଠାରୁ ଦୂରେଇ ଦୂରେଇ ଯାଇଥିଲା ବାତ୍ୟା, ବାଲେଶ୍ୱର ଆଡକୁ ଧିରେ ଧିରେ ପାଖେଇ ଆସିଥିଲା । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟାରେ ରେମୁଣା ସଦର ଓ ବାହାନଗା ବ୍ଲକ ଉପକୂଳ ଅଂଚଳରେ ବାତ୍ୟାର ବଳୟ ସ୍ଥଳଭାଗ ଛୁଇଁଥିଲା । ଘଂଟା ପ୍ରତି ୧୩୦ କିଲୋମଟର ବେଗରେ ପବନ ମାଡ଼ ହୋଇଥିଲା ।

ପ୍ରାୟ ୩ଘଂଟାରୁ ୪ ଘଂଟା ପର୍ଯ୍ୟନ୍ତ ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ବେଳେ ଯେତିକି ବେଗରେ ପବନ ହେବ ବୋଲି ପାଣିପାଗ ବିଭାଗ ପ୍ରଥମରୁ ଆକଳନ କରୁଥିଲା, ତାହା ହୋଇନଥିଲା । ସର୍ବାଧିକ ୧୨୦ରୁ ୧୪୦ କିଲୋମିଟର ବେଗରେ ଝଟକା ଦେଇଥିଲା ପବନ । ଫଳରେ ବାତ୍ୟା ମାଡ଼ରେ ବିଶେଷ କ୍ଷୟକ୍ଷତି ହୋଇନଥିଲା ।

ପୂର୍ବାନୁମାନକୁ ଚକମା ଦେଇଥିଲା ୟାସ୍ । ଶେଷ ପର୍ଯ୍ୟନ୍ତ ପାଣିପାଗ ବିଶେଷଜ୍ଞଙ୍କୁ ଚକମା ଦେଇ ଚାଲିଥିଲା ବାତ୍ୟା । ବାତ୍ୟାର ଆଖି ମଧ୍ୟ ବହୁ ବିଳମ୍ବରେ ମାପି ପାରିଥିଲା ଡଫଲର ରାଡାର । ପ୍ରାୟ ୩୫ କିଲୋମିଟର ବ୍ୟାସାର୍ଦ୍ଧର ଆଖି ସୃଷ୍ଟି ହୋଇଥିଲା । ଏହା ମଧ୍ୟ ଗୋଲାକାର ନହୋଇ ଅର୍ଦ୍ଧ ଗୋଲାକାର ହୋଇଥିବାରୁ ବାତ୍ୟାର ଶକ୍ତି ହ୍ରାସ ପାଇଥିବା କୁହାଯାଉଛି । ସେହିପରି ସମୁଦ୍ର ଭିତରେ କମ୍ ସମୟ ରହିବା ଓ ସ୍ଥଳଭାଗ ଛୁଇଁବା ପରେ ଦ୍ରୁତ ଗତିରେ ଅତିକ୍ରମ କରିବା ଯୋଗୁଁ ଦୁର୍ବଳ ହୋଇ ଯାଇଥିଲା ବାତ୍ୟା ।

ପବନର ବେଗ କମି ରହିବା ଯୋଗୁଁ କ୍ଷୟକ୍ଷତି କମ୍ ହୋଇଥିଲା । ତେବେ ବର୍ଷା ଅଧିକ ହେବାରୁ ଉତର ଓଡ଼ିଶାର ଅନେକ ଅଂଚଳ ଜଳମଗ୍ନ ହୋଇଯାଇଛି । ଆଉ ୨ରୁ ୪ ମିଟର ଉଚ୍ଚର ଜୁଆର ଯୋଗୁଁ ସମୁଦ୍ର ପାଣି ଜନବସତି ଆଡକୁ ମାଡି ଆସିଥିଲା ।