ନଷ୍ଟ ହୋଇଗଲା ସ୍ୱାମୀଙ୍କ ଦୁଇଟି କିଡ଼ନୀ । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବାରୁ ସ୍ୱାମୀଙ୍କୁ କିଡ଼ନୀ ଦାନ କରିବାକୁ ଆଗେଇ ଆସିଲେ ପତ୍ନୀ ।

194

କନକ ବ୍ୟୁରୋ: ଏ ଗୁହାରୀ ସିନ୍ଦୂରର ସୁରକ୍ଷା ପାଇଁ, ଏ ଆକୁଳ ନିବେଦନ ଆଉ ଆଖିରେ ଆଖିଏ ଲୁହ ସଦା ସୁହାଗନ ରହିବା ପାଇଁ । ଯେତେ କଷ୍ଟ ହେଉ, ବିଧାତା ବାରମ୍ବାର ବାଟ ଓଗାଳୁ କିନ୍ତୁ ସେ ତାଙ୍କ ମଥାର ସିନ୍ଦୂରକୁ ବଞ୍ଚାଇବା ପାଇଁ ପ୍ରତିଜ୍ଞା କରିଛନ୍ତି । ଆଧୁନିକ ଯୁଗର ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଜୀବନ ଦାନ ଦେବା ପାଇଁ କିଡ଼ନୀ ଦାନ କରିବାକୁ ଆଗେଇ ଆସିଛନ୍ତି । ଯାହାଙ୍କ କାହାଣୀ ଯେତେ ହୃଦୟବିଦାରକ ସେତେ ହୃଦୟସ୍ପର୍ଶୀ…

ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳର ସୁରେନ ବର୍ମନଙ୍କ ପୁଅ , ପପୁ ବର୍ମନ । ଦୁଇ ବର୍ଷ ପୂର୍ବେ ଯାଜପୁରରେ ଏକ କମ୍ପାନୀରେ ଅପରେଟର ଭାବେ କାମ କରି ପରିବାର ପେଟ ପୋଷୁଥିଲେ । ହେଲେ ଦିନେ ସମୟର ଚକା ଭଉଁରୀରେ କିଡ଼ନୀ ତାଙ୍କ ହସଖୁସି ପରିବାର ପାଇଁ କାଳ ସାଜିବ ସେ କେବେ କଳ୍ପନା କରିନଥିଲେ । ପପୁଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଥିବା ଖବର ଜାଣି ପରିବାର ପାଦ ତଳୁ ମାଟି ଅତଡ଼ା ଖସିଗଲା । ଅର୍ଥ ଅଭାବ ଭିତରେ ଜୀବନ କଟୁଥିବା ବେଳେ କିଡ଼ନୀ ରୋଗ ତାଙ୍କୁ କନ୍ଦାଉଛି । ହେଲେ ସ୍ୱାମୀକୁ ବଞ୍ଚାଇବା ପାଇଁ ଶେଷରେ କିଡ଼ନୀ ଦାନ କରିବାକୁ ଆଗେଇ ଆସିଛନ୍ତି ତାଙ୍କ ପତ୍ନୀ ।

ପପୁଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ୧୦ ବର୍ଷର ପାଠ ପଡୁଥିବା ପୁଅ । ଦରମା ଯାହା ମିଳେ ତାଙ୍କ ପରିବାର ହସଖୁସିରେ ଚଳିଯାଉଥିଲା । ହେଲେ ଏବେ କିଡ଼ନୀ ପିଡ଼ୀତ ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସମସ୍ୟା ବଢୁଛି । ପାଖରେ ଟଙ୍କା ନାହିଁ କି ବନ୍ଧା ପକାଇବାକୁ ପାଖରେ ସେମିତି ଧନସମ୍ପତ୍ତି ବି ନାହିଁ । ଚାଳଘରେ ଚଳୁଥିବା ଏହି ପରିବାରକୁ ଯେମିତି ବିଧାତା ଦୁଃଖର ପାହାଡ଼ ତଳେ ଛିଡ଼ା କରିଦେଇଛି । ଯେଉଁଥିପାଇଁ ପପୁ ମଧ୍ୟ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି ।

ସତରେ ଭଗବାନ ସିନା ସିନ୍ଦୂର ପାଇଁ ସ୍ତ୍ରୀର ପରୀକ୍ଷା ନେଉଛନ୍ତି । କିନ୍ତୁ ପପୁଙ୍କ ସ୍ତ୍ରୀ ପ୍ରେମ ଆଉ ଶଙ୍ଖା-ସିନ୍ଦୂର ମୂଲ୍ୟ କ’ଣ ଆଜିର ଯୁବପୀଢ଼ିଙ୍କୁ ବୁଝାଇ ଦେଇଛନ୍ତି । ଯାହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ, ଇଏ କ’ଣ ଅର୍ଥର ଅଭାବ ନା ଅଗ୍ନିକୁ ସାକ୍ଷୀରଖି ସୁଖ ଦୁଃଖର ସାଥୀ ହେବାକୁ ନେଇଥିବା ଶପଥ । ସେ ଯାହା ବି ହେଉ, ତ୍ୟାଗ ଓ ଭଲପାଇବାର ଏକ ଉଦାହରଣ ସୃଷ୍ଟି କରିଦେଲେ ପପୁଙ୍କ ପତ୍ନୀ ।

ଯଦି ଆପଣ ପପୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ତାଙ୍କ ପରିବାର ମୁହଁରେ ହସଫୁଟାଇବାକୁ ଚାହୁଁଛନ୍ତି ।

ତେବେ ଆକାଉଣ୍ଟ୍ ନମ୍ବର- 520291018533121

IFSC – UBIN0933562

Phone pay/Google pay number- 9777147461