ରୋଗ ଶଯ୍ୟାରେ ମରଣ ସହ ସଂଘର୍ଷ କରୁଛି ସ୍ୱାମୀ । ଏପଟେ ପ୍ରେମିକକୁ ବିବାହ କଲା ସ୍ତ୍ରୀ ।

163

କନକ ବ୍ୟୁରୋ: ରୋଗ ଶଯ୍ୟାରେ ପଡି ମରଣ ସହ ସଂଘର୍ଷ କରୁଛି ସ୍ୱାମୀ । ଶଯ୍ୟାଶାୟୀ ସ୍ୱାମୀକୁ ଛାଡି ପ୍ରେମିକ ସହ ବିବାହ କରିଲା ସ୍ତ୍ରୀ । ଜଳେଶ୍ୱର ଛ’ମୌଜା ଅଞ୍ଚଳର ଜଣେ ମହିଳା ହସପିଟାଲ ବେଡରେ ସ୍ୱାମୀକୁ ଗୁରୁତର ଅବସ୍ଥାରେ ଛାଡି ନିଜଠାରୁ କମ୍ ବୟସ୍କ ୨୦ ବର୍ଷୀୟ ପ୍ରେମିକ ସହ ବିବାହ କରି ଖୁସି ମନାଉଥିବା ଚିତ୍ର ସାମନାକୁ ଆସିଛି । ତେବେ ମହିଳା ଜଣକ ସ୍ୱଇଛାରେ ବିବାହ କରିଥିବା ବେଳେ ବେଶ ଖୁସି ଥିବା ମଧ୍ୟ କ୍ୟାମେରା ସାମନାରେ ଜାହିର କରିଛନ୍ତି ।

ବାଲିଆପାଳର ଦୀପିକାରାଣୀ ୨୦୨୦ ମସିହାରେ ବିବାହ କରିଥିବା ବେଳେ ତାଙ୍କ ସାଥିରେ ରହିଛି ଦେଢ ବର୍ଷର ଝିଅ । ଗତ ସପ୍ତାହରେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶରେ ଅସ୍ତ୍ରୋପଚାର ହେବାକୁ ଥିବା ବେଳେ ସ୍ତ୍ରୀ କିନ୍ତୁ ବାହାରିଯାଇଛି ଘରୁ । ସ୍ୱାମୀଙ୍କୁୁ ଛାଡି ଦୀପିକା ସାଙ୍ଗରେ ସମସ୍ତ ସୁନା ଅଳଙ୍କାର ସହ ପରିଚୟ ପ୍ରମାଣ ପତ୍ର ନେଇ ସ୍କୁଟିରେ ଘରୁ ବାହାରିଯାଇଥିଲେ । ସାଥିରେ ନିଜ ଝିଅକୁ ମଧ୍ୟ ନେଇଯାଇଥିଲେ । ପରେ ଓକିଲଙ୍କ ଉପସ୍ଥିତିରେ ଦୀପିକା ନିଜ ପ୍ରେମିକ ସହ ଯାଇ ବିବାହ କରିଥିଲେ । ଶାଶୂ ଘର ଲୋକେ ବିରୋଧ କରିଥିବା ବେଳେ ମହିଳା ଜଣକ ସ୍ୱଇଚ୍ଛାରେ ବିବାହ କରିଛନ୍ତି । ଏପରିକି ସେ ୩ ବର୍ଷ ହେଲା ଭଲପାଇବା ସହ ତାଙ୍କୁ ବିବାହ କରିଥିବା ଜଣାଇଥିଲେ । ଏନେଇ ସେ ବେଶ ଖୁସି ଥିବା କହୁଥିବା ବେଳେ ସେପଟେ ବେଡରେ ପଡି ନ୍ୟାୟ ମାଗୁଛି ସ୍ୱାମୀ ।