ବିଧାନସଭାରେ ବିଜେପିର ବିଜୁ ପକ୍କାଘର, କଂଗ୍ରେସର ବିଜୁଳି ଦରବୃଦ୍ଧି ପ୍ରତିବାଦ : ଗୃହ ସାଢେ ୧୧ଟା ଯାଏଁ ମୁଲତବୀ

84

କନକ ବ୍ୟୁରୋ : ବିଧାନସଭା ଗୃହ କାର୍ଯ୍ୟ ଆଜି ଆରମ୍ଭରୁ ଅଚଳ ହୋଇଯାଇଛି । ଗୋଟିଏ ପଟେ ବିଜେପି ବିଧାୟକମାନେ ବିଜୁ ପକ୍କା ଘର ଲୋଗୋକୁ ବିରୋଧ କରି ହଙ୍ଗାମା କରିଛନ୍ତି । ଅନ୍ୟପଟେ କଂଗ୍ରେସ ସଦସ୍ୟଙ୍କ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ପକ୍କା ଘରେ ବିଜୁ ପକ୍କା ଘର ଲୋଗୋ ବ୍ୟବହାର ନକରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏହାକୁ ପ୍ରସଙ୍ଗ କରି ବିଧାନସଭାରେ ସରକାରଙ୍କୁ ଘେରିଛି ବିଜେପି । ବିଜୁ ପକ୍କା ଘର ଲୋଗୋ ବ୍ୟବହାର କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଥିବା ଅଭିଯୋଗ ବାଢିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ପୁଣି ବିଦ୍ୟୁତ ଶୁଳ୍କରେ ୟୁନିଟ ପିଛା ୩୦ ପଇସା ବୃଦ୍ଧିକୁ ବିରୋଧ କରି ନାରାବାଜି କରିଥିଲେ । ଘରୋଇ ଉପଭୋକ୍ତାମାନଙ୍କୁ ଏଣିକି ସମସ୍ତ ସ୍ଲାବରେ ୩୦ ପଇସା ଅଧିକ ବିଜୁଳି ବିଲ୍ ଦେବାକୁ ପଡିବ । ଦରବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତି ନେଇଛି । ଏହା ଏପ୍ରିଲ ୪ରୁ ଲାଗୁହେବ । ତେବେ ଏହାକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଛନ୍ତି । ଫଳରେ ଗୃହକୁ ସାଢେ ୧୧ଟା ଯାଏଁ ବାତିଲ କରିଛନ୍ତି ବାଚସ୍ପତି ।