ବିଜୟ ପଛର ନାୟକ ସାଜିଲେ ‘ସୂର୍ଯ୍ୟ’ । ଟିମ୍ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର, ବିଜେପି ପାଇଁ ସୂର୍ଯ୍ୟବଂଶୀ ।

671

କନକ ବ୍ୟୁରୋ: ରାଜନୀତି ଓ କ୍ରିକେଟ୍ । ଏ ଏମିତି ଦୁଇଟି ପ୍ରସଙ୍ଗ, ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ସଂଯୋଗକୁ ଆଜି ଓଡିଶାର ଗଣମାଧ୍ୟମରେ ଦୁଇଟି ଯାକ ବିଷୟ ଫୋକସରେ ଥିଲା । ଗୋଟିଏ ପଟେ ମେଲବର୍ଣ୍ଣରେ ଭାରତ-ଜିମ୍ବାୱେ ମୁକାବିଲା ଚାଲିଥିଲା, ଆଉ ଅନ୍ୟପଟେ ଆସିଥିଲା ଧାମନଗର ଉପ ନିର୍ବାଚନ ଫଳାଫଳ । ତେବେ ସୌଭାଗ୍ୟକୁ ଆଜି ଏହି ଦୁଇଟି ଯାକ ପ୍ରସଙ୍ଗରେ ‘ସୂର୍ଯ୍ୟ’ ହିଁ ଅସଲ ନାୟକ ଥିଲେ । ଗୋଟିଏ ପଟେ ପଡିଆ ମଝିରେ ସୂର୍ଯ୍ୟକୁମାର ଯାଦବ ଗୋଟିଏ ପରେ ଗୋଟିଏ ବାଉଣ୍ଡ୍ରି ମାରୁଥିଲେ, ଆଉ ରାଜନୀତିର କ୍ରିଜରେ ରହି ଧାମନଗର ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଗୋଟିଏ ପରେ ଗୋଟିଏ ରାଉଣ୍ଡ ପାସ୍ କରୁଥିଲେ । ତେବେ କ୍ରିକେଟ୍ ଆଉ ରାଜନୀତିର ଏ କ୍ରେଜ୍ ଭିତରେ, ଭାରତ ବିଶ୍ୱକପ୍ ଫାଇନାଲର ରାସ୍ତା ପ୍ରଶସ୍ତ କରୁଥିବାବେଳେ, ବିଜେପି ୨୦୨୪ର ସ୍ୱପ୍ନ ଦେଖୁଥିଲା ।

ଟି-୨୦ ବିଶ୍ୱକପ୍ ଜିତିବାକୁ ଭାରତ ଆଉ ଦୁଇଟି ମ୍ୟାଚ୍ ଦୂରରେ ଅଛି । ବର୍ତ୍ତମାନ ସୁଦ୍ଧା ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି ଟିମ୍ ଇଣ୍ଡିଆ । ତେବେ ଇଂଲଣ୍ଡ ସହ ସେମିଫାଇନାଲ ଖେଳିବା ପୂର୍ବରୁ ଆଜି ଟିମ୍ ଇଣ୍ଡିଆର ମୁକାବିଲା ଜିମ୍ବାୱେ ସହ ହୋଇଥିଲା । ଆଉ ଦଳ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ଏହି ଇଂନିସରେ ୨୦ ଓଭରରେ ସ୍କୋର କରିଥିଲା ୧୮୬ ରନ୍ । ହେଲେ ଦଳର ଏ ହାଇସ୍କୋର ପଛରେ ଅସଲ ନାୟକ ସାଜିଥିଲେ ଟି-୨୦ ରାଙ୍କିଙ୍ଗର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟ ମାତ୍ର ୨୫ ବଲରୁ ୬୧ ରନ୍ କରିବା ସହିତ ୬ଟି ଚୌକା ଆଉ ୪ଟି ବିଶାଳ ଚୌକା ମାରିଥିଲେ । ଆଉ ମ୍ୟାଚର ଶେଷକୁ ଦଳ ଗ୍ରୁପ ଟପ୍ପର ହେଇ ଲିଗ୍ ଅଭିଯାନ ଶେଷ କରିଥିଲା ।

କ୍ରିକେଟ୍ କ୍ରିଜରେ ସୂର୍ଯ୍ୟକୁମାର ଯେତେବେଳେ ବୋଲରମାନଙ୍କୁ ଧୁଲାଇ କରୁଥିଲେ, ସେତେବେଳେ ଧାମନଗର ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିରୋଧୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ । ନିର୍ବାଚନ ଫଳାଫଳରେ ଗୋଟିଏ ପରେ ଗୋଟିଏ ରାଉଣ୍ଡର ରେଜଲ୍ଟ ସାମ୍ନାକୁ ଆସୁଥିବାବେଳେ, ବିରୋଧୀଙ୍କୁ ପଛରେ ପକାଇ ଆଗରେ ରହିଥିଲେ ସୁରଜ । ବିଶେଷକରି ବିଜେଡିକୁ ଚକମା ଦେଇ ସୁରଜ ପାଖାପାଖି ୧୦ ହଜାର  ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଯାହାକି ଆଜି ରାଜ୍ୟ ରାଜନୀତିରେ ପ୍ରମୁଖ ଖବର ପାଲଟିଥିଲା ।

ତେବେ ସେପଟେ ସୂର୍ଯ୍ୟକୁମାର, ଏପଟେ ସୂର୍ଯ୍ୟବଂଶୀ…ଟିମ୍ ଇଣ୍ଡିଆ ଆଉ ଭାରତୀୟ ଜନତା ପାର୍ଟି ପାଇଁ ଲକି ସାବ୍ୟସ୍ତ ହେବା ସହିତ ଟ୍ରମ୍ପ କାର୍ଡ ସାଜିଥିଲେ । ଖାଲି ସେତିକି ନୁହେଁ, ସୂର୍ଯ୍ୟକୁମାରଙ୍କ ଏ ଇଂନିସ ସହ ଟିମ୍ ଇଣ୍ଡିଆ ବିଶ୍ୱକପ୍ ବିଜୟର ରାସ୍ତାକୁ ଆହୁରି ମଜଭୁତ କରୁଥିବାବେଳେ, ବିଜେପି ଏ ଉପ ନିର୍ବାଚନରେ ବିଜୟ ସହ ୨୦୨୪ର ଅଙ୍କ କଷିବା ଆରମ୍ଭ କରିଛି ।