ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ପୋଲିସ କଲା ଛାନଭିନ୍

104

କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦକା ଅଂଚଳରେ ଏକ ମୁଣ୍ଡବିହୀନ ମୃତଦେହକୁ ନେଇ ଖେଳିଯାଇଛି ଚାଂଚଲ୍ୟ । ଏହି ମୃତଦେହ ଜଣେ ମହିଳାଙ୍କର ହୋଇଥିବା ବେଳେ କିଏ ସେ ଏହି ମହିଳା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ବଡ କଥା ହେଲା, ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଏକରୁ ଅଧିକ ଲୋକ ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ ଦୃଢତାର ସହିତ କହିଛି । କିନ୍ତୁ ରାତି ଅଧରେ ନାଇଟି ପିନ୍ଧିଥିବା ଏହି ମହିଳାଙ୍କୁ କିଏ କାହିଁକି ହତ୍ୟାକଲା ସେନେଇ କିଛି ଜଣାପଡିନାହିଁ ।

ଆଗେ ଆଗେ ଡଗସ୍କ୍ୱାର୍ଡ । ପଛେ ପଛେ ପୋଲିସ । ଘଟଣାସ୍ଥଳରୁ ମିଳିଥିବା ରକ୍ତଭିଜା ଛୁରୀ ଆଉ ଗ୍ଲୋବ୍ସକୁ ସୁଙ୍ଗି କୁକୁର ଖୋଜୁଛି ହତ୍ୟାକାରୀ। ଖୋଜାଚାଲିଛି ମହିଳାଙ୍କ କଟାମୁଣ୍ଡ । କୁକୁର ଯୁଆଡେ ଯୁଆଡେ ଯାଉଛି ପୋଲିସ ତା ପଛେ ପଛେ ଦୌଡୁଛି । କେତେବେଳେ ଗ୍ରିଲକୁ ଭାଙ୍ଗି ତା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରାଯାଉଛି ତ କେତେ ବେଳେ ପାଣିଟାଙ୍କିର ଢାଙ୍କୁଣି କାଢି ତା ଭିତରୁ ସୁରାକ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ ।

ରାସ୍ତା କଡରେ ପଡିରହିଛି ମୁଣ୍ଡ ବିହୀନ ମୃତଦେହ । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଲା ମହିଳାଙ୍କ ଏହି ମୃତଦେହ । ପାରିପାଶ୍ୱର୍ିକ ସ୍ଥିତି କହୁଛି ମହିଳାଙ୍କୁ ହତ୍ୟା କରାଯାଇଛି । ଆଉ ହତ୍ୟା କରିବା ପରେ ମୁଣ୍ଡ ନେଇ ଫେରାର ହୋଇଯାଇଛନ୍ତି ହତ୍ୟାକାରୀ । ପୋଲିସ ତଦନ୍ତ କହୁଛି, ଏହା କେବେବି ଜଣଙ୍କର କାମ ନୁହେଁ । ଘଟଣାସ୍ଥଳରେ ହିଁ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କ ପାଖରୁ କୌଣସି ପ୍ରକାର ପ୍ରମାଣପତ୍ର ମିଳିପାରିନାହିଁ । ମହିଳାଙ୍କ ଦେହରେ ଗୋଟିଏ ନାଇଟି ରହିଛି । ସାଙ୍ଗରେ ଏକ ବ୍ୟାଗରେ ବହୁତଗୁଡିଏ ଲୁଗାପଟା ରହିଛି । ଯେହେତୁ ମୁଣ୍ଡ ନାହିଁ ତେଣୁ ମହିଳାଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ କାଠିକର ପାଠ ହୋଇଛି । କେବଳ ହାତରେ ଟାଟୁ ରହିଛି ସେଥିରେ ଓମ ଲେଖାହୋଇଛି । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବିଭିନ୍ନ ଥାନା ସହିତ ଯୋଗାଯୋଗରେ ଅଛି ।

କାହାର ଏହି ମୃତଦେହ?
ଏହି ମହିଳା ଜଣଙ୍କ କିଏ?
ଏହି ପରିତ୍ୟକ୍ତ ଯାଗାକୁ କେମିତି ଆସିଲେ ମହିଳା?

ଏହି ପରିତ୍ୟକ୍ତ ଯାଗାକୁ କେମିତି ଆସିଲେ ମହିଳା ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ । ମୁଣ୍ଡ ନଥିବାରୁ ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଂଚି ସାଇଂଟିଫିକ ଟିମ୍, ସ୍ପେଶାଲ ସ୍କ୍ୱାର୍ଡ ଡଗସ୍କ୍ୱାର୍ଡ ସହ ତଦନ୍ତ କରୁଛି । ପୋଲିସ ରକ୍ତନମୁନା ସଂଗ୍ରହ କରିଥିବା ବେଳେ ହତ୍ୟାକାଣ୍ଡ ପଛର କାରଣ କଣ ହୋଇପାରେ ସେନେଇ କିଛି ମଧ୍ୟ ସ୍ପଷ୍ଟ ହୋଇନାହିଁ ।