ବାତ୍ୟାର ଲୁଚକାଳି ଖେଳ । ଯେତିକି ଆଗକୁ ବଢୁଥିଲା, ସେତିକି ଦ୍ୱନ୍ଦ୍ୱ ବଢ଼ାଉଥିଲା 

462

କନକ ବ୍ୟୁରୋ: ବାତ୍ୟା ଜୱାଦର ଗତିପଥ ପ୍ରଥମରୁ ହିଁ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ଲଘୁଚାପ ଦାନା ବାନ୍ଧିବା ସମୟରୁ ହିଁ ଏହାର ରୂପରେଖ ଓ ଗତିପଥ ନିର୍ଦ୍ଧାରଣ କରିବାରେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ପାଣିପାଗ ବିଜ୍ଞାନୀ । ୧୨୯ ବର୍ଷ ରେକର୍ଡ ଭାଙ୍ଗି ଡିସେମ୍ବର ମାସରେ ବଙ୍ଗୋପସାଗର ସୃଷ୍ଟି ହେଉଥିବା ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଥିଲା ।

ୱେଲ ମାର୍କ ଲୋ-ପ୍ରେସର ବା ସୁଦୃଶ୍ୟ ଲଘୁଚାପ ପରେ ବି ଏହାର ଗତିପଥ ସଠିକ୍ ଭାବେ ନିର୍ଣ୍ଣୟ କରାଯାଇ ପାରିନଥିଲା । ପ୍ରଥମେ ଏହାର ଆନ୍ଧ୍ରର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳ ଦେଇ ଗତି କରିବ ବୋଲି ଅନୁମାନ କରାଯାଇଥିଲା । ବାତ୍ୟା ବା ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ଏହା ସ୍ପଷ୍ଟ ହେବ ବୋଲି କହିଥିଲେ ପାଣିପାଗ ବିଜ୍ଞାନୀ । ଏହା ପରେ ପୂର୍ବାନୁମାନ କରାଯାଇଥିଲା, ବାତ୍ୟା ମୋଡ଼ ବଦଳାଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ପୁରୀ ନିକଟରେ ମାଡ଼ ହେବ ।

  • ରି-କର୍ଭ ହେବା ପରେ ଦୁର୍ବଳ ହେଲା ବାତ୍ୟା!
  • ବଦଳୁଥିଲା ଗତିପଥ, ବଦଳୁଥିଲା ପୂର୍ବାନୁମାନ

ବାତ୍ୟା ଯେତେବେଳେ ରିକର୍ଭ କଲା ବା ମୋଡ ବଦଳାଇଲା, ଏହା ଦୁର୍ବଳ ହେବାରେ ଲାଗିଲା । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ନାହିଁ । ତୀବ୍ର ଅବପାତ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହେଲା ବାତ୍ୟା । ଉପକୂଳ ଆଡକୁ ଯେତିକି ପାଖେଇଥିଲା. ସେତିକି ଦୁର୍ବଳ ହେଉଥିଲା ବାତ୍ୟା । ଫଳରେ ପାଣିପାଗ ବିଭାଗ ବର୍ଷା ଓ ପବନ ନେଇ ଯେଉଁ ଆକଳନ କରିଥିଲା, ତାହା ହେଲା ନାହିଁ ।  ପାଣିପାଗ ବିଜ୍ଞାନୀଙ୍କୁ ଭୂଆଁ ବୁଲାଇ ଦେଲା ଡିସେମ୍ବର ମାସର ବାତ୍ୟା ।  ଡିସେମ୍ବର ମାସରେ ବଙ୍ଗୋପସାଗର ସୃଷ୍ଟି ହେଉଥିବା ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରି ପାରିଲାନି । ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଥିଲା ଆଉ ପୂର୍ବଭଳି ଅତୁଟ ରହିଲା ୧୨୯ ବର୍ଷର ରେକର୍ଡ ।